ଜଗତସିଂହପୁର: ସାରା ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଜଗତସିଂହପୁର ଜିଲ୍ଲାରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଯାହାକୁ ନେଇ ଆଜି ଜୀବନ ଯାତ୍ରା ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଘଡଘଡି ସହ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜନ ଜୀବନ ଅସ୍ତ ବ୍ୟସ୍ତ କରି ଦେଇଛି । ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ନିଂ ଜାରୀ କରିବା ପରେ ରାଜ୍ୟ ସରକାରଙ୍କ ଏସଆରସି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ନର୍ଦ୍ଦେଶ ଦିଆଯାଇଛି ।
ଜଗତସିଂହପୁର ଜିଲ୍ଲାରେ ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲାକୁ ରେଡ଼ ୱାର୍ନିଂ ଜାରି କରାଯାଇଛି । ଜିଲ୍ଲାର କେତେକ ସ୍ଥାନରେ ନଦୀବନ୍ଧ ଗୁଡିକ ଦୁର୍ବଳ ଥିବା ସ୍ଥାନ ଚିହ୍ନଟ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଧସିବାର ସମ୍ଭାବନା ରହିଛି । ଏହାକୁ ନେଇ ଏସଆରସି ପକ୍ଷରୁ ଜିଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ମହାନଦୀ, ଦେବୀନଦୀ, ବିଲୁଆଖାଇ, ହଂସୁଆ ପ୍ରଭୁତି ନଦୀ ଗୁଡିକର ଦୁର୍ବଳ ବନ୍ଧଥିବା ସ୍ଥାନରେ ବାଲିବସ୍ତା ପ୍ରସ୍ତୁତ କରି ରଖିବାକୁ ପ୍ରଶାସନ ପକ୍ଷରୁ ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ବର୍ଷା ବିତ୍ପାତକୁ ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଭିନ୍ନ ବିଭାଗ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବିଭାଗକୁ ନିର୍ଦ୍ଦେଶ ଦେବା ସହିତ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏସଆରସିଙ୍କ ନିର୍ଦ୍ଦେଶ ମୁତାବକ ଓଡ୍ରାଫ,ଏନଡିଆରଏଫ ଟିମ୍ କୁ ସଜାଗ ରଖାଯାଇଛି ।
ଅପରପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ଏରସମା ବ୍ଲକ ରେ କେତେକ ସ୍ଥାନରେ ସମୁଦ୍ର କୂଳ ଲଙ୍ଘନ କରିଥିବା ଜଣାପଡିଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ଚାଷ ଜମିରେ ଲୁଣି ପାଣି ମାଡିଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ