ଜଗତସିଂହପୁର: ଜିଲ୍ଲାର ଅନ୍ୟତମ ଶୈବପୀଠ ପ୍ରଭୁ ଗୋରଖନାଥ । ଯାହାଙ୍କ ମହିମା ଅତୁଳନୀୟ । ଜଗତସିଂହପୁର ସହରଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ। ବର୍ଷକ ବାର ମାସ ଯାକ ଏହି ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପୀଠଟି, ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରେ । ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତ୍ୟେକ ଦିନ ଏଠାକୁ ଲୋକେ ଆସିଥାନ୍ତି । ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ବୋଲି ଜନ ମାନସରେ ଅଖଣ୍ଡ ବିଶ୍ୱାସ ରହିଛି ।
ତେବେ ଏହି କ୍ଷେତ୍ର ବିଭୂତି କ୍ଷେତ୍ର ନାମରେ ମଧ୍ୟ ବେଶ ପରିଚିତ । କେଉଁ କାଳରୁ ଏଠାରେ ଜଳୁଥିବା ଧୂନି କୁଣ୍ଡ କେବେ ନିର୍ବାପିତ ହୁଏନାହିଁ । ଏଥିରୁ ବାହାରୁ ଥିବା ବିଭୂତିରୁ ଉପକାର ମିଳିଥାଏ। ସ୍ଥାନୀୟ ଲୋକଙ୍କ ମତରେ ଏହି ବିଭୂତି ଗାଈ ଗୁହାଳରେ ରଖିଦେଲେ କୁଆଡେ ଗୋ ସମ୍ପଦ ସୁରକ୍ଷିତ ରହିଥାଏ। ରୋଗୀଣା ଗୋରୁଗାଈ ସୁସ୍ଥ ହୋଇଯାଆନ୍ତି । ସେଥିପାଇଁ ବିଭୂତି ନେବାକୁ କାହିଁ କେତେ ଦୂରରୁ ଛୁଟି ଆସନ୍ତି ଭକ୍ତ ।
ସେହିପରି ବିଷଧର ସର୍ପ ଯଦି କାହାକୁ ଆଘାତ କରିଛି ତେବେ ଏହି କ୍ଷେତ୍ର କୁ ଆସିଲେ ତାର ବିଷ ସମ୍ପୂର୍ଣ୍ଣ ପାଣି ହୋଇଯାଏ ବୋଲି ବିଶ୍ୱାସ ରହିଛି । ଭକ୍ତଟିଏ ଯଦି କୌଣସି ମନସ୍କାମନାକୁ ନେଇ ପୀଠରେ ଥିବା ବଟବୃକ୍ଷରେ ମାନସିକ ଡୋର ବାନ୍ଧିଥାନ୍ତି ତେବେ ମନସ୍କାମନା ପୂରଣ ହେବା ନେଇ ଲୋକ ବିଶ୍ବାସ ରହିିଛି । ଏହିଭଳି ଅନେକ ବିଶ୍ୱାସ ଓ ଭାବାବେଗର କଥା ଏହି ପୀଠ ସହ ଯୋଡି ହୋଇ ରହିଛି ।
ଗୋରେଖନାଥଙ୍କୁ ନେଇ ଅନେକ କାହାଣୀ ରହିଛି । ଜଣେ ସାଧୁ ଏକ ଗ୍ରାମକୁ ଆସିଥିଲେ । ସେ ଯିବା ସମୟରେ ଜଣେ ମହିଳା ତାଙ୍କ ନିକଟରେ ପହଞ୍ଚି ପ୍ରଣାମ କରିବା ପରେ ବୋହୂର ସନ୍ତାନ ସନ୍ତତି ହେଉନଥିବାକୁ ନେଇ ସାଧୁ ମହାତ୍ମାଙ୍କୁ ଜଣାଇଥିଲେ । ସାଧୁ ଜଣଙ୍କ ନିଜ ଝୁଲାରୁ ଏକ ଫଳ କାଢି ଦେବା ସହ ଏହି ଫଳ ଖାଇଲେ ତୁମ ବୋହୂର ନିଶ୍ଚିତ ସନ୍ତାନ ଜାତ ହେବ ବୋଲି କହି ଚାଲି ଯାଇଥିଲେ । ବୃଦ୍ଧା ଜଣଙ୍କ ସାଧୁଙ୍କଠାରୁ ପ୍ରାପ୍ତ ଫଳକୁ ନିଜ ବୋହୂକୁ ଦେଇଥିଲା । କିନ୍ତୁ ବୋହୁ ସେହି ଫଳକୁ ନଖାଇ ଗୋବର ଖାତ ଫିଙ୍ଗି ଦେଇଥିଲେ। କିଛିଦିନ ପରେ ସେହି ସାଧୁ ମହାତ୍ମା ସେହି ଗ୍ରାମରେ ପହଞ୍ଚି ବୁଢ଼ୀକୁ ପଚାରିଥିଲେ ମୁଁ ଦେଇଥିବା ଫଳର ପ୍ରସାଦରେ ହୋଇଥିବା ସନ୍ତାନକୁ ଡାକ । କିନ୍ତୁ ବୃଦ୍ଧା ଜଣଙ୍କ ବୋହୂର ସନ୍ତାନ ହୋଇ ନଥିବା ପ୍ରକାଶ କରିଥିଲେ । ସାଧୁ ଏଥିରେ ବିଚଳିତ ହୋଇ ଗୋରଖନାଥଙ୍କୁ ଡାକିବାରୁ ଗୋବର ଖତରୁ ଜଣେ ଦିବ୍ୟ ପୁରୁଷ ବାହାରି ଆସିଥିଲେ । ସେ ସେହିଠାରେ ରହି ମଠ ସ୍ଥାପନ କରିଥିଲେ । ଗୋବରରୁ ଜାତ ହୋଇ ଥିବାରୁ ଏହାଙ୍କ ନାମ ଗୋରଖନାଥ ବୋଲି ଜନଶ୍ରୁତି ବା କାହାଣୀ ରହିଛି । ଏହି ପୀଠରେ ନାଥ ସମ୍ପ୍ରଦାୟ ପଦ୍ଧତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ ।
ଇଟିଭି ଭାରତ, ଜଗତସିଂହପୁର