ଜଗତସିଂହପୁର: ପାନୀୟ ଜଳ ପ୍ରକଳ୍ପ ଆଣି ଦେଇଛି ବିପଦ । ହଜାଇଛି ୨୦ ପଞ୍ଚାୟତବାସୀଙ୍କ ନିଦ । ପ୍ରକଳ୍ପ ପାଇଁ ଏବେ ଭାଙ୍ଗିବାକୁ ବସିଛି ନଦୀବନ୍ଧ । ଜିଲ୍ଲାର ନାଉଗାଁ ବ୍ଲକ ଦେବୀଦୋଳ ନିକଟ ଦେବୀନଦୀରେ ଚାଲିଥିବା ଜଳ ପ୍ରକଳ୍ପ ଏବେ ଅଞ୍ଚଳବାସୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ଦୀର୍ଘ ୨ ବର୍ଷ ପୂର୍ବେ ନଦୀବନ୍ଧକୁ ଲାଗି ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା । ନଦୀ ବନ୍ଧ ଉପରେ ୨୯ ମିଟର ତଳକୁ ଖୋଳାଯାଇ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ହୋଇଥିଲା । ମାତ୍ର ଏହାପରେ ଦୁର୍ବଳ ହୋଇପଡ଼ିଛି ବନ୍ଧ । ହୀରାକୁଦରୁ ପ୍ରଥମ ବନ୍ୟାପାଣି ଆସିବା ପରେ ଧସୁଛି ନଦୀବନ୍ଧ । ଫଳରେ ଆତଙ୍କିତ ସ୍ଥାନୀୟ ଲୋକେ ।
ଏହି ନଦୀବନ୍ଧ ଭାଙ୍ଗିଲେ ଜଗତସିଂହପୁର ବ୍ଲକର 3 ପଞ୍ଚାୟତ ସମେତ ନାଉଗାଁର 14 ଓ ବାଲିକୁଦାର 4 ପଞ୍ଚାୟତ ବାସିନ୍ଦା ପ୍ରଭାବିତ ହେବେ । 2020ରେ ପ୍ରକଳ୍ପ ଜିଲ୍ଲା ଜଳ ଯୋଗାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା । ପାନୀୟ ଜଳ ପ୍ରକଳ୍ପ ପାଇଁ ନଦୀବନ୍ଧ ଉପରେ 29 ମିଟର ତଳକୁ ଖୋଳାଯାଇ ପ୍ରକଳ୍ପ ନିର୍ମାଣ ହେବା ପରେ ନଦୀବନ୍ଧ ଦୁର୍ବଳ ହୋଇଥିଲା । ତେବେ ତୁରନ୍ତ ପ୍ରକଳ୍ପ ଶେଷରେ ବନ୍ଧର ସୁରକ୍ଷା ପାଇଁ କଙ୍କ୍ରିଟ ଆଡିବନ୍ଧ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ଶେଷ ହୋଇ ନଥିବାରୁ ସେହି ସ୍ଥାନରେ ବନ୍ଧ ଭାଙ୍ଗି ଯିବାର ସମ୍ଭାବନା ସୃଷ୍ଟି ହୋଇଛି ।
ଲଗାଣ ବର୍ଷା ଓ ହୀରାକୁଦରୁ ପାଣି ଛଡ଼ାଯିବା ପରେ ପ୍ରକଳ୍ପ ନିକଟରେ ଆଡିବନ୍ଧ ଧସିଯିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବନ୍ଧ ଧସିବା କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ବାଲି ବସ୍ତା ପକାଯାଉ ଥିବା ଦେଖିବାକୁ ମିଳିଛି । ନାଉଗାଁ ବ୍ଲକର ଏହି ସ୍ଥାନରେ ଦେବୀନଦୀ ପ୍ରବଳ ଗଭୀର ହୋଇଥିବା ବେଳେ ନଦୀରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହୋଇଥାଏ ।
ସ୍ଥାନୀୟ ଲୋକେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ନଦୀବନ୍ଧ ଧସିଥିବା ସ୍ଥାନକୁ ଜଗି ରହିଛନ୍ତି । ଲଗାଣ ବର୍ଷା ଓ ଆଗାମୀ ଦିନରେ ଦେବୀନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ଏଠାରେ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ତଳ ମୁଣ୍ଡରେ ବସବାସ କରୁଥିବା ୨୦ ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜିଲ୍ଲା ପ୍ରଶାସନ, ଜଳ ଯୋଗାଣ ବିଭାଗ ଓ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘ ଦୁଇବର୍ଷ ଧରି ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିଲେ ମଧ୍ୟ କାର୍ଯ୍ୟ ଶୀଘ୍ର ସାରିବାକୁ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ନଦୀବନ୍ଧର ସୁରକ୍ଷା ପାଇଁ ଆଡିବନ୍ଧର ଉଭୟ ପାର୍ଶ୍ବରେ କଙ୍କ୍ରିଟ ୱାଲ ନିର୍ମାଣ କରାନଗଲେ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିବ ଏଥିରେ କୌଣସି ସନ୍ଦେହ ନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ