ପାରାଦୀପ: ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗାଁରେ ଅଭାବନୀୟ ଘଟଣା । ବାପା ଓ ସାବତ ମାଆ, ୧୫ ବର୍ଷର ପୁଅକୁ ପିଟି ପିଟି ମାରିଦେବା ପରେ ବେକରେ ରଶି ଲଗାଇ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଗାଁର ସ୍କୁଲ ପଛପଟେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ପୁଅର ମୃତଦେହ । ବାପା ଓ ସାବତ ମାଆ ପିଟିପିଟି ମାରି ଦେଇଥିବା ମାମୁଁ ଘର ପକ୍ଷରୁ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଉଭୟ ବାପ ଓ ସାବତ ମାଆକୁ ପଚରାଉଚୁରା ଜାରି ରହିଥିବାବେଳେ, ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସକାଳୁ ତ୍ରିଲୋଚନପୁର ଗ୍ରାମର ମକରା ବେହେରାଙ୍କ ୧୫ ବର୍ଷର ପୁଅ ରାହୁଲ ବେହେରାଙ୍କ ମୃତଦେହ ସ୍କୁଲ ପଛପଟ ବାଡିରୁ ମିଳିବା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଗତ ୧୦ ବର୍ଷ ତଳେ ପାରିବାରିକ ଗଣ୍ଡଗୋଳରୁ ମକରାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମକରା କିଛି ଦିନ ଜେଲ ମଧ୍ୟ ଯାଇଥିଲେ । ପରେ ମକରା କୁନି ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ ମଧ୍ୟ ପ୍ରଥମ ସ୍ତ୍ରୀର ପୁଅ ରାହୁଲଙ୍କୁ ମାରଧର କରିବା ସହିତ ନିର୍ଯୟାତନା ଦେଉଥିବା ଗ୍ରାମର କିଛି ବ୍ୟକ୍ତି ସୂଚନା ଦେଇଛନ୍ତି ।
ଗତକାଲି ପ୍ରଥମ ରଜ ଥିବା ବେଳେ ଡ୍ରେସ୍କୁ ନେଇ ସାବତ ମା ଓ ବାପା ରାହୁଲଙ୍କୁ ଗାଳିଗୁଲଜ କରିଥିବା ସୂଚନା ମିଳିଛି । ତେବେ ତାକୁ ବାଡେଇ ମାରିଦେବା ଘଟଣାକୁ ଉଭୟ ବାପା ଓ ସାବତ ମାଆ ଅସ୍ବୀକାର କରିବା ସହିତ, ରାହୁଲକୁ ଆକଟ କରିଥିବା ପ୍ରକାଶକ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଉଭୟ କହିଛନ୍ତି । ମାମୁଁ ଘର ପକ୍ଷରୁ ଅଭୟଚାନ୍ଦପୁର ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଉଭୟ ବାପା ଓ ସାବତ ମାଆଙ୍କୁ ପଚରାଉଚରା ଆରମ୍ଭ କରିଛି ।
ଇଟିଭି ଭାରତ, ଜଗତସିଂହପୁର