ଜଗତସିଂହପୁର: ବେପରୁଆ ବିଦ୍ୟୁତ ସଂଯୋଗ ନେଇଗଲା ମୂଲ୍ୟବାନ ଜୀବନ । ନିଜ ଚାଷ ଜମିରୁ ମୁଗକୁ ଅମଳ କରି ଫେରୁଥିବା ବେଳେ ଜଗି ବସିଥିଲା ମୃତ୍ୟୁ । ଜି-ଆଇ ତାରର ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ଶ୍ରୀରାମପୁର ଗ୍ରାମରେ । ଶ୍ରୀରାମପୁର ଗ୍ରାମର ୫୨ବର୍ଷିୟ ବାନମ୍ବର ଦାସ ନାମକ ଜଣେ ଚାଷୀ ଆଜି ଦିନ ୧୧ଟା ସମୟରେ ବିଲରେ ଅମଳ ହୋଇଥିବା ମୁଗ ଆଣିବା ପାଇଁ ଯାଇଥିଲେ । ସେହି ଗ୍ରାମର ବିଜୟ ରଥ ନାମକ ଜଣେ ବ୍ୟକ୍ତି ନିଜ ଜମିରେ ପାଣି ମଡ଼ାଇବା ପାଇଁ ୭ଶହ ମିଟର ଲମ୍ବା ଖୋଲା ଜି ଆଇ ତାର ଟାଣି ସେଥିରେ ବିଦ୍ୟୁତ ସଂଯୋଗ କରିଥିଲେ ।
ଅଧିକ ପଢ଼ନ୍ତୁ: Snake on Plane: ମଝି ଆକାଶରେ କକପିଟ୍ରେ ବାହାରିଲା ସାପ, ଭୟ ନକରି ପାଇଲଟଙ୍କ ସୁରକ୍ଷିତ ଲ୍ୟାଣ୍ଡିଂ
ବନାମ୍ବର ନିଜ ଜମିରୁ ମୁଗ ମୁଣ୍ଡାଇ ଆସୁଥିବା ବେଳେ ଜିଆଇ ତାରର ସଂସ୍ପର୍ଶରେ ଆସିଯିବାରୁ ବିଦ୍ୟୁତ ଆଘାତରେ ସେ ଛଟପଟ ହୋଇ ଚିତ୍କାର କରିଥିଲେ । ବନାମ୍ବରଙ୍କ ଚିତ୍କାର ଶୁଣି ପଡୋଶୀମାନେ ଆସି ଉଦ୍ଧାର କରିବା ସହିତ ପ୍ରଥମେ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ବନାମ୍ବରଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରସାରିତ ହେବାପରେ ଶ୍ରୀରାମପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ବିଜୟ ରଥ ନାମକ ଏହି ବ୍ୟକ୍ତି କିପରି ଜିଆଇ ତାରରେ ବିଦ୍ୟୁତ ସଂଯୋଗ କରି ତାକୁ ଏପରି ଖୋଲାଖୋଲି ଛାଡି ମଟର ଚଳାଉଥିଲେ ତାକୁ ନେଇ ଗ୍ରାମବାସୀମାନେ ହୋହଲ୍ଲା କରିଥିଲେ ।
ଉତ୍ତେଜନା ବଢିବାରୁ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବସୀଙ୍କୁ ବୁଝାସୁଝା କରିଥିଲେ । ପରେ ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖୋଲା ଲୁହ ତାରରେ ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତି ବିଜୟ ରଥକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ମୃତ ବନାମ୍ବରଙ୍କ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ଜଗତସିଂହପୁର