ଭୁବନେଶ୍ବର: ପାରାଦ୍ବୀପରେ ହେବ ପାୱାରଫୁଲ ଲଢେଇ । ଯୁବକଙ୍କ ଦମ୍ ଦେଖିବ ବନ୍ଦର ସହର । ସମ୍ପଦକୁ ସମ୍ପଦ କରି ବିଜେପି ବାଜିମାରିବା ପାଇଁ ତୟାର । ସେପଟେ ସବୁଜ ଦଳରୁ ଗ୍ରୀନ ସିଗନାଲ ପାଇ ମଇଦାନକୁ ଲମ୍ଫ ଦେବାକୁ ସମ୍ବିତ ପ୍ରସ୍ତୁତ । ଅନ୍ୟପଟେ ହାତ ପାଇଁ ଅରିନ୍ଦମ ସାହା ।
ପାରାଦ୍ବୀପରେ ପଲଟିବ ନେତୃତ୍ବ । ବରିଷ୍ଠ ନେତାଙ୍କ ପ୍ରାଦୁର୍ଭାବ ଦେଖିଥିବା ପାରାଦ୍ବୀପ ଏବେ ଦେଖିବ ଯୁବକଙ୍କ ଜୋସ୍ । ପାରାଦ୍ବୀପରେ ପତିଆରା ଜାହିର କରିବା ପାଇଁ ଚଳିତ ବର୍ଷ ନିର୍ବାଚନରେ ତିନି ପ୍ରମୁଖ ଦଳ ଯୁବକଙ୍କୁ ସୁଯୋଗ ଦେଇଛନ୍ତି । ବିଜେଡି ଏହି ଆସନ ପାଇଁ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଉପରେ ଭରସା କରିଛି । ସେହିପରି କଂଗ୍ରେସ ତାର ପୁରୁଣା ପ୍ରାର୍ଥୀ ଅରିନ୍ଦମ ସର୍ଖେଲକୁ ପୁଣି ଟିକେଟ ଦେଇଛି । ବିଜେପି ମଧ୍ୟ ଯୁବ ନେତା ସମ୍ପଦ ସ୍ବାଇଁଙ୍କୁ ମଇଦାନକୁ ଛାଡିଛି ।
ଚଳିତ ବର୍ଷ ଯୁବାଶକ୍ତି ଉଭା ହୋଇଥିବାରୁ ଲଢେଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି । ସେପଟେ ବରିଷ୍ଠଙ୍କ ପରାକାଷ୍ଠା ଦେଖିଥିବା ଭୋଟର କାହା ଉପରେ ଭରସା କରିବେ ତାକୁ ନେଇ ଆରମ୍ଭ ହେଲାଣି କସରତ । ତେବେ ଯାହା ହେଉ ଏଥର ଯୁବ ନେତୃତ୍ବ ମାଧ୍ୟମରେ ପାରାଦ୍ବୀପ ଆଗେଇବ ବୋଲି କୁହାଯାଉଛି ।
ସୂଚନା ଥାଉକି, 2009 ମସିହାରେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ଗଠନ ହେବା ପରଠୁ ଏହି ଆସନକୁ ବିଜେଡି ଟିକେଟରେ ବରିଷ୍ଠ ନେତା ଦାମୋଦର ରାଉତ ନିଜ ଅକ୍ତିଆରରେ ରଖିଥିଲେ । ତେବେ ରାଜନୈତିକ ପାଣିପାଗ ବଦଳିବା ସହ ଦାମ, ବାଲିକୁଦା-ଏରସମାରୁ ବିଜେପି ପାଇଁ ପ୍ରାର୍ଥୀ ହୋଇଛନ୍ତି ।