ଜଗତସିଂହପୁର: କଂଗ୍ରେସର ଘରେ ଫାଟ । ଜିଲ୍ଲା କଂଗ୍ରେସ ନେତା ନେତାଙ୍କ ମଧ୍ୟରେ କେଁ । ମଙ୍ଗଳବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ନବ ଚିନ୍ତନ ସଂକଳ୍ପ ବୈଠକ ଚାଲିଥିବା ସମୟରେ ବାଲିକୁଦାର ପୂର୍ବତନ ବିଧାୟକ ଲଲଟେନ୍ଦୁ ମହାପାତ୍ରଙ୍କ ସହ ବାଲିକୁଦାର ଯୁବ କଂଗ୍ରେସ ନେତା ସୁଶାନ୍ତ କାନୁନଗୋଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ନେତା ବୈଠକ ଅଧାରୁ ପଳାଇଥିଲେ ।
କଂଗ୍ରେସର ନବସଂକଳ୍ପ ଶିବିରରେ ସମସ୍ତ କର୍ମକର୍ତ୍ତା, ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନିମନ୍ତ୍ରଣ ହୋଇଥିଲା । ଅଖିଳ ଭାରତ କଂଗ୍ରେସ କମିଟି ମାନବାଧିକାର ସେଲର ଓଡିଶା ସଂଯୋଜକ ସୁଶାନ୍ତ କୁମାର କାନୁନଗୋଙ୍କୁ ବାଲିକୁଦା କଂଗ୍ରେସ ନେତା ନିର୍ବାଚିତ ପ୍ରତିନିଧି ବିରୋଧ କରିଥିଲେ । ତାଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଯେ ସେ ଗତ ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିନଥିଲେ । ଦଳକୁ ବିରୋଧ କରୁଥିବା ଲୋକ ମଞ୍ଚରେ ରହିଲେ ଆମେ ରହିବୁ ନାହିଁ ବୋଲି କହି ସଭାସ୍ଥଳରୁ ପଳାଇଥିଲେ ବହୁ ଲୋକ । ଯାହାକୁ ନେଇ କଂଗ୍ରେସରେ ବିବାଦ ଦାଣ୍ଡରେ ପଡି ହାଟରେ ଗଡଛି । ବାଲିକୁଦା କଂଗ୍ରେସର ଏହି ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଏହି ଘଟଣାକୁ ନେଇ ଜିଲ୍ଲା ସଭାପତି ନଟବର ବାରିକ କହିଛନ୍ତି ଯେ, ଯାହା ବିବାଦ ହୋଇଛି ତାହା ଉପରେ ତର୍ଜମା ଚାଲିଛି। ଯଦି କେହି ଲିଖିତ ଅଭିଯୋଗ କରନ୍ତି ତେବେ ଦଳ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ।
ଇଟିଭି ଭାରତ, ଜଗତସିଂହପୁର