ଜଗତସିଂହପୁର: ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ଜମିରେ ରାସ୍ତା ନିର୍ମାଣକୁ ନେଇ ବିବାଦ ବଢ଼ି ଚାଲିବାରେ ଲାଗିଛି। ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀଙ୍କ ମାହୋଲରେ ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାରେ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀଙ୍କ ସମେତ ସମସ୍ତ ରାଜନୈତିକ ଦଳ ମଧ୍ୟ ଏକାଠି ହୋଇ ଧାରଣା ଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ଇଣ୍ଡୋର ଷ୍ଟାଡିୟମକୁ ରାସ୍ତା ନିର୍ମାଣ ପାଇଁ ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ଓ ପ୍ରାଚୀରକୁ ଭାଙ୍ଗି ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏପରିକି କଲେଜ ଜମିରେ ଡାକ୍ତରଙ୍କ ରହଣି ପାଇଁ ଗୃହ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତେବେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ଦଳ ଏହାକୁ ଦୃଢ଼ ବିରୋଧ କରିଛନ୍ତି । ଏନେଇ କଲେଜ କର୍ତ୍ତୃପକ୍ଷ 5T ସଚିବଙ୍କୁ ଲିଖିତ ଭାବେ ଜଣାଇବା ସହ କଂଗ୍ରେସ ବିଜେଡି ଓ ବିଜେପିର ନେତାମାନେ ତହସିଲଦାରଙ୍କୁ ଭେଟି କଲେଜ ଜମି ଅଧିଗ୍ରହଣ ନ କରିବାକୁ ନିବେଦନ କରିଛନ୍ତି।
ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗ୍ରାମୀଣ ବିଶ୍ବବିଦ୍ୟାଳୟ କରିବାକୁ ଅନେକ ସମୟରେ ଦାବି କରାଯାଇଛି। ଏହାର ଭିତ୍ତିଭୂମିର ବିକାଶ ପାଇଁ 5ଏକର ସରକାରୀ ଜମିକୁ ତତ୍କାଳୀନ ପ୍ରଶାସକ କଲେଜକୁ ପ୍ରଦାନ କରିଥିଲେ। ହେଲେ କଲେଜକୁ ସଙ୍କୁଚିତ କରାଯାଇ ସେହି ଜମି ଉପରେ ରାସ୍ତା ନିର୍ମାଣ ଓ ଡାକ୍ତରଙ୍କ କ୍ବାଟର୍ସ ନିର୍ମାଣ ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରୁଥିବାରୁ ଅନେକ ବିବାଦ ଦେଖା ଦେଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ