ଜଗତସିଂହପୁର: ସହରର ପ୍ରମୁଖ ସୋମନାଥ ହାଟ ଏବେ ବନ୍ଦ ହେବାକୁ ବସିଲାଣି। ଜଗତସିଂହପୁର ଜିଲ୍ଲାର ପ୍ରମୁଖ ପରିବା ହାଟ ଭାବେ ପରିଚିତ ଏହି ହାଟରେ, ପାଳିକୁ ପ୍ରାୟ 1କୋଟି ଟଙ୍କାର ବେପାର ବାଣିଜ୍ୟ ହୋଇ ଥାଏ। ଜିଲ୍ଲା ଓ ଜିଲ୍ଲା ବାହାରୁ ତଥା ପୁରୀ, କଟକ ଓ କେନ୍ଦ୍ରାପଡାରୁ ବହୁ ପରିମାଣରେ ପରିବା ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଏଠାରେ ବିକ୍ରି ଉଦ୍ଦେଶ୍ୟରେ ଆସିଥାନ୍ତି।
ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଏହି ହାଟ ଟି ଏବେ କୋରୋନା ମାଡ଼ରେ ଧରାଶାୟୀ ହୋଇଛି। ପୂର୍ବରୁ ସରକାରଙ୍କ କୋଭିଡ ନିୟମ ଅନୁସାରେ ସପ୍ତାହକୁ ଦୁଇ ଦିନ ଚାଲୁଥିବା ଏହି ହାଟକୁ ଗୋଟିଏ ଦିନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିଲା। ତାହା ପୁଣି ସ୍ବଳ୍ପ ସମୟ ପାଇଁ।
କମ ସମୟ ପର୍ଯ୍ୟନ୍ତ ହାଟ ଚାଲୁଥିବାରୁ ଜିଲ୍ଲା ବାହାରୁ ଆସୁଥିବା ଚାଷୀ ମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରୁ ନାହାନ୍ତି। ଫଳରେ ଖାଉଟି ପରିବା ପାଉନଥିବା ବେଳେ ଚାଷୀ ତାର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛି।
ଏବେ ସରକାର ଲକଡାଉନ କଟକଣାରେ କୋହଳ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସୋମନାଥ ହାଟକୁ ସ୍ବାଭାବିକ ଭାବେ ଚାଲିବାକୁ ଅନୁମତି ଦେଉନାହିଁ ।ଫଳରେ ସ୍ଥାନୀୟ ଅଞ୍ଚଳର ଅସନ୍ତୋଷ ଦେଖା ଦେଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ