ଜଗତସିଂହପୁର: ଜିଲ୍ଲା ବିଜେପିରେ ଜଳଜଳ ଦିଶୁଛି ଅନ୍ତଃକନ୍ଦଳ । ଯେତେ ଲୁଚାଇବାକୁ ଚାହିଁଲେ ମଧ୍ୟ ଦଳରେ କନ୍ଦଳ ସ୍ପଷ୍ଟ ବାରିହେଇପଡୁଛି । ନିକଟରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ଜିଲ୍ଲା ବିଜେପି ନେତା ତଥା ପୂର୍ବତନ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ଟ୍ରଷ୍ଟି ପ୍ରତାପ ମିଶ୍ର ଆସିନଥିଲେ । ଏହା ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।
ଏହି ଘଟଣାକୁ ନେଇ ବିଜେପି ନେତା ପ୍ରତାପ ମିଶ୍ର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଛନ୍ତି, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର । ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଚୟନ ସମୟରେ ବିଜେପି ନେତା ପ୍ରତାପ ମିଶ୍ର ବାଦ ପଡ଼ିଥିଲେ । ତାଙ୍କ ବଦଳରେ ସଞ୍ଜୟ ମହାନ୍ତିଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଚୟନ କରାଯାଇଥିଲା । ଯାହାକୁ ନେଇ ପ୍ରତାପ ମିଶ୍ର କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି ।
ଜିଲ୍ଲା ସଭାପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ, ସେ ମଞ୍ଚ ଉପରକୁ ଯାଇନଥିଲେ । ଅନ୍ୟପଟେ ସଞ୍ଜୟ ମହାନ୍ତି କହିଛନ୍ତି "ବିଜେପିରେ ଦଳୀୟ ଗୋଷ୍ଠୀ କନ୍ଦଳର ସ୍ଥାନ ନାହିଁ । ବିଜେପି ଏକ ସଂଗଠନ, ଆଗକୁ ନେବାକୁ ଏବଂ ଅଧିକ ଶକ୍ତିଶାଳୀ କରିବାକୁ ଦଳ ଏକାଠି ହୋଇ କାମ କରୁଛି ।"
ଇଟିଭି ଭାରତ, ଜଗତସିଂହପୁର