ଜଗତସିଂହପୁର: ଧରମ ଭାଇ ସହ ପରକୀୟା ପ୍ରୀତିରେ ବାଧକ ସାଜିବାରୁ ନିଜ ଜନ୍ମଦାତ୍ରୀ ମା’କୁ ତଣ୍ଟି ଚିପି ହତ୍ୟା କଲା ଝିଅ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିକୁଦା ବ୍ଲକ ମେରାଇନ ଥାନା ଅନ୍ତର୍ଗତ ବନ୍ଦର ଗ୍ରାମରେ । ପୋଲିସ କହିବା ଅନୁସାରେ, ରୁମିଲା କାଣ୍ଡି ନାମକ ଜଣେ 50 ବର୍ଷୀୟା ମହିଳାଙ୍କ 4 ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଥିଲା । ଗୋଟିଏ ଝିଅ ମାନି କାଣ୍ଡିକୁ ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ବିବାହ କରି ଦେଇଥିଲେ । ତେବେ ନିଜର ଦେଖାଶୁଣା କରିବା ପାଇଁ କେହି ନ ଥିବାରୁ ମହିଳା ଜଣଙ୍କ ନିଜ ଭଉଣୀର ପୁଅକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରି ନିଜ ପାଖରେ ରଖି ଆସୁଥିଲେ ।
ତେବେ 4ମାସ ପୂର୍ବେ ଝିଅ ମାନି କାଣ୍ଡି ତାଙ୍କ ସ୍ୱାମୀଙ୍କ ସହ କଳିଝଗଡା କରି ନିଜ ମା’ ରୁମିଲା ପାଖକୁ ଚାଲି ଆସିଥିଲେ । କିଛିଦିନ ରହିବା ପରେ ସେଠାରେ ପୋଷ୍ୟପୁତ୍ର ଭାବେ ଥିବା ଶିବକାଣ୍ଡିଙ୍କ ସହ ଝିଅ ମାନିର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଭାଇ ଭଉଣୀଙ୍କ ପ୍ରେମକୁ ସହଜରେ ଗ୍ରହଣ କରିପାରି ନଥିଲେ ମା’ ରୁମିଲା । ନିଜ ମା’ ପ୍ରେମରେ ବାଧକ ସାଜୁଥିବା ଦେଖି ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଉଭୟ ।
ଗତକାଲି(ମଙ୍ଗଳବାର) ରାତିରେ ରୁମିଲା ଶୋଇଥିବା ସମୟରେ ଝିଅ ମାନି ଓ ପୋଷ୍ୟ ପୁତ୍ର ଶିବ ଉଭୟ ତାଙ୍କ ତଣ୍ଟିଚିପି ହତ୍ୟା କରିବା ସହ ମୃତଦେହକୁ ଏକ ଗାତ କରି ପୋତିବାକୁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀଙ୍କ ନଜର ପଡିଥିଲା । ଗ୍ରାମବାସୀ ଏକାଠି ହୋଇ ଉଭୟଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ବନ୍ଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ