ଜଗତସିଂହପୁର: ଜିଲ୍ଲା ମହୋତ୍ସବ କଲ୍ଲୋଳକୁ ମନୋଭରି ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ କଲ୍ଲୋଳ ମହୋତ୍ସବ ପଞ୍ଚମ ଦିନରେ ପହଞ୍ଚିଛି । ଜିଲ୍ଲାର କଳା ସଂସ୍କୃତି ଐତିହ୍ୟ ଓ ପରମ୍ପରାର ପ୍ରତୀକ ଜିଲ୍ଲା ମହୋତ୍ସବ କଲ୍ଲୋଳର ପଞ୍ଚମ ସନ୍ଧ୍ୟାରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ହଜାରହଜାର ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ଷ୍ଟଲ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ଶୀତୁଆ ରାତିରେ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ଷ୍ଟାଣ୍ଡ୍ଅପ୍ କମେଡି ଦର୍ଶକଙ୍କ ମହଲରେ ଉଷ୍ଣତା ଆଣି ଦେଇଥିଲା ।
ଚଳିତ ବର୍ଷ ଜିଲ୍ଲା ମହୋତ୍ସବ କଲ୍ଲୋଳ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଅତିଥିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା କିଛିଟା ବିବାଦ କାରଣରୁ ଦୀର୍ଘ 5 ଦିନ ହେବ କୌଣସି ନିମନ୍ତ୍ରିତ ଅତିଥି ଆସୁ ନଥିବା ଦେଖିବାକୁ ମିଳିଛି । କଲ୍ଲୋଳର ଦ୍ୱିତୀୟ ସନ୍ଧ୍ୟାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢ଼ୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ପ୍ରଶାସନ ପକ୍ଷରୁ କୁହା ଯାଇଥିଲା କିନ୍ତୁ ଶାସନ ସଚିବ କାର୍ଯ୍ୟ ବ୍ୟସ୍ତତା କାରଣରୁ ଆସିପାରି ନଥିଲେ ।
ସେହିପରି ତୃତୀୟ ଦିନ ସନ୍ଧ୍ୟାରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ସେ ଆସିନଥିଲେ । ଫଳରେ ଜିଲ୍ଲା କୃଷି ଅଧିକାରୀ ଓ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କୁ ଡକାଯାଇ ସଭା କରାଯାଇଥିଲା । ଅତିଥିମାନେ ଆସୁନଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଫଳରେ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇଛି । କାର୍ଯ୍ୟକ୍ରମ ସମୟରେ ହେଲମେଟ ଚେକିଂ ଫଳରେ ଲୋକେ ଭୟରେ ଆସୁନଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି, କଲ୍ଲୋଳ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ । ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ହୁଳହୁଳିରେ ମହୋତ୍ସବ ମୁଖରିତ ହୋଇ ପଡ଼ିଥିଲା । ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ତାଙ୍କୁ ମଞ୍ଚରେ ଦେଖିବାକୁ ମିଳି ନଥିଲା । ଫଳରେ ଜିଲ୍ଲା ପ୍ରଶାସନ ବିଳମ୍ବ ହେଉଥିବା ଦେଖି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ଧରି ସଭାର ଆୟୋଜନ କରିଥିଲେ । 15 ମିନିଟ ସଭା ଚାଲିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଗତ ଜାନୁଆରୀ 15 ତାରିଖରୁ କଲ୍ଲୋଳ ମହୋତ୍ସବ ଉଦଘାଟିତ ହୋଇଛି । 21 ତାରିଖ ଯାଏଁ ଚାଲିବ ଏହି ମହୋତ୍ସବ । 5ଦିନ ଧରି ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର