ଜଗତସିଂହପୁର: ଜିଲ୍ଲାର ସଦର ଥାନା ଚାରି ପୋଲିଆ ନିକଟରେ ଥିବା ନିଶା ନିବାରଣ କେନ୍ଦ୍ର 'ଚେଷ୍ଟା' ନାମରେ ଆସିଛି ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ନିଶା ନିବାରଣ ନାମରେ ଅନ୍ତେବାସୀଙ୍କୁ ଲୁହା ରଡ ତତାଇ ଚେଙ୍କ ଦେଉଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଆସିବା ପରେ ଏହି ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ଫେରାର ହୋଇ ଯାଇଥିବା ଖବର ମିଳିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଚାରିପୋଲିଆ ନିକଟରେ ଥିବା ଚେଷ୍ଟା ନାମକ ଏକ ନିଶା ନିବାରଣ କେନ୍ଦ୍ରରେ ଦୀର୍ଘ ଦିନ ଧରି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଗତ ରବିବାର ଦିନ ସଦର ଥାନା ଅନ୍ତର୍ଗତ ଲାଲା ସାହି ଅଞ୍ଚଳର ଏସ କେ ଜାବର ନାମକ ଜଣେ ଅନ୍ତେବାସୀଙ୍କୁ ଶାରୀରିକ ନିର୍ଯାତନା ଦେବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ଆଜି କେତେକ ଅନ୍ତେବାସୀଙ୍କୁ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଲୁହାରଡ୍ ତତାଇ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରିଥିବା ଖବର ମିଳିଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ନିଶା ନିବାରଣ କେନ୍ଦ୍ରରେ ଭଙ୍ଗା ରୁଜା କରିଥିବା ଦେଖିବାକୁ ମିଳିଛି । ତେବେ ଏହି ନିଶା ନିବାରଣ ସଂସ୍ଥାର ମୁଖ୍ୟ ରାଜକିଶୋର ଦାସ ଫେରାର ହୋଇ ଯାଇଥିବା ପୋଲିସ କହିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ