ଜଗତସିଂହପୁର: ପାରାଦୀପ ସମୁଦ୍ର କୂଳରୁ ପୁଣି ଏକ ମୃତ ବିରଳ ପ୍ରଜାତିର (ଲଙ୍ଗ ସ୍ନାଉଟେଡ ସ୍ପିନର ଡଲଫିନ) ଷ୍ଟେନେଲା ଡଲଫିନ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତ ଡଲଫିନର ଲମ୍ବ ସାଢ଼େ 5ଫୁଟ ହୋଇଥିବାବେଳେ ଏହାର ଓଜନ ପ୍ରାୟ ୫୦ କିଲୋ ମଧ୍ୟରେ ହେବ ବୋଲି ଜଣାପଡିଛି ।
ମିଲିଥିବା ସୂଚନା ଆଧାରରେ ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ବଙ୍ଗୋପସାଗର ଉପକୂଳରେ ଖୁବ୍ କ୍ଵଚିତ ଦେଖିବାକୁ ମିଳିଥାଏ । ମାତ୍ର ୧୫ ଦିନ ତଳେ ପାରାଦୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରୁ ଏକ ଅଣ୍ଡିରା ଷ୍ଟେନେଲା ଡଲଫିନ ଉଦ୍ଧାର କରାଯାଇଥିଲା । ତେବେ ଆଜି IOCLର ସାଉଥ୍ ଗେଟ୍ ନିକଟରୁ ଏକ ମାଈ ଷ୍ଟେନେଲା ଡଲଫିନର ମୃତଦେହ ଉଦ୍ଧାର କରାଯାଇଛି ।
ଏହାର ଉପର ଭାଗ କଳା ରଙ୍ଗର ହୋଇଥିବାବେଳେ ମୁହଁ ଲମ୍ବା ଥଣ୍ଟ ଭଳି ବାହାରିଛି । କୁଜଙ୍ଗ ବନ ବିଭାଗ ଖବର ପାଇବା ପରେ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି । ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥାଏ । ତେବେ ଗତ ୧୫ ଦିନ ମଧ୍ୟରେ ଏଭଳି ଦୁଇଟି ବିରଳ ଡଲଫିନଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ, ବ୍ୟବଚ୍ଛେଦ ପରେ ଏହାର ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ