ଜଗତସିଂହପୁର : ପହିଲି ରଜରେ ଅଘଟଣ । ନଦୀରେ ଭାସିଗଲା ଝିଅ। ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏପରି ଅଘଟଣ ଘଟିଥିବା ସୂଚନା। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଅଘଟଣ। ସେହି ଗ୍ରାମର ଜଣେ ନାବାଳିକା ମହାନଦୀ କୁ ଗାଧୋଇବା ପାଇଁ ଯିବା ସମୟରେ ମହାନଦୀରେ ଗୋଡ଼ ଖସିଯିବାରୁ ନିଖୋଜ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ନାବାଳିକାର ପତ୍ତା ମିଳି ପାରିନଥିଲା। ପରେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଅଗ୍ନିଶମବାହିନୀ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରିରଖିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର 10 ବର୍ଷୀୟ ନାବାଳିକା ଅର୍ପିତା। ଆଜି ପହିଲି ରଜ ଥିବାରୁ ସାଙ୍ଗମାନଙ୍କ ଶହ ସ୍ଥାନୀୟ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲା । ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଅସାବଧାନତା ହେତୁ ନାବାଳିକା ମହାନଦୀର ଗଭୀର ଜଳକୁ ଚାଲି ଯାଇଥିଲେ । ଅର୍ପିତାର ସାଙ୍ଗମାନେ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଏହିଘଟଣା ଜଣା ପଡିବା ପରେ ସ୍ଥାନୀୟ ଲୋକେ ପାଣିରେ ଖୋଜାଖୋଜି କରିଥିଲେ।
ହେଲେ ସେମାନେ ମଧ୍ୟ ଅର୍ପିତାର ପତ୍ତା ପାଇ ପାରିନଥିଲେ। ପରେ ଗ୍ରାମବାସୀ ଓ ପରିବାର ପକ୍ଷରୁ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମବାହିନୀର କର୍ମଚାରୀ ପହଁଞ୍ଚି ପାୱାର ବୋଟ ସହାୟତାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜଗନ୍ନାଥପୁର ନିକଟରେ ପ୍ରବାହିତ ହେଉଥିବା ମହାନଦୀ ପ୍ରବଳ ଗଭୀର ହେତୁ ନାବାଳିକାଟି ଗଭୀର ଜଳକୁ ଚାଲିଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଜଗନ୍ନାଥପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅଜି ବିଭିନ୍ନ ସ୍ଥାନରେ ରଜ ମଉଜା ପାଳନ କରାଯାଉଥିବା ବେଳେ ଏପରି ଘଟଣା ଅତ୍ୟନ୍ତ ଦୁଃଖଦାୟୀ।
ଅଧିକ ପଢ଼ନ୍ତୁ: ମାଆ ଆଗରେ ପୁଅକୁ ଝାମ୍ପି ନେଲା କୁମ୍ଭୀର
ଅନ୍ୟପଟେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁରରୁ ଗାଁର ଅଶୋକ ଆଚାର୍ଯ୍ୟଙ୍କ ୧୦ ବର୍ଷର ପୁଅ ଆଶୁତୋଷ ଆଚାର୍ଯ୍ୟଙ୍କୁ କୁମ୍ଭୀର ଟାଣି ନେଇଛି । ଆଶୁତୋଷ ତାଙ୍କ ମାଆଙ୍କ ସହ ବ୍ରାହ୍ମଣୀକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ କୁମ୍ଭୀରର ଆଶୁତୋଷଙ୍କୁ ଗଭୀର ନଦୀ ଭିତରକୁ ଟାଣି ନେଇ ବୀଭତ୍ସ ଭାବେ ପେଟକୁ ଚିରି ଦେଇଥିବା ଦେଖାଯାଇଛି । ଆଶୁତୋଷଙ୍କ ଚିତ୍କାର ଶୁଣି ସେଠାକୁ ଦୌଡି ଯାଇଥିଲେ ତାଙ୍କ ମାଆ । ହେଲେ ମାଆ ଆଖି ଆଗରେ ପୁଅକୁ ଟାଣି ନେଇଥିଲା କୁମ୍ଭୀର । ସ୍ଥାନୀୟ ଲୋକେ ପ୍ରଥମେ ପଟ୍ଟାମୁଣ୍ଡାଇ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ଦେଶୀ ଡଙ୍ଗାରେ ଆଶୁତୋଷଙ୍କୁ ନଦୀ ଭିତରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ନଦୀ ମଧ୍ୟରୁ ଆଶୁତୋଷଙ୍କ ଉଦ୍ଧାର କରାଯାଇଥିଲା ।
ଇଟିଭି ଭାରତ, ଜଗତସିଂହପୁର