ଜଗତସିଂହପୁର : ଜଗତସିଂହପୁର ସହର ସ୍ଥିତ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଲୁଟେରା 50 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜଗତସିଂହପୁର ଥାନରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁସାରେ ବାଲିକୁଦା ଥାନ ଚଅଁରପୁର ଗ୍ରାମର ଶ୍ରୀଧର ନାୟକ ନାମକ ଜଣେ ବ୍ୟକ୍ତି ଜଗତସିଂହପୁର ଷ୍ଟେଟବ୍ୟାଙ୍କ ଶାଖାରୁ ଆଜି 50 ହଜାର ଟଙ୍କା ଉଠାଇ ଆଣି ନିଜ ଗାଡ଼ିରେ ରଖିବା ପରେ ଅନ୍ୟ କିଛି କାଗଜ ପତ୍ର ପାଇଁ ବ୍ୟାଙ୍କ ଭିତରକୁ ଯିବା ସମୟରେ ଛପି ରହିଥିବା ଲୁଟେରା ଟଙ୍କା ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ । ଶ୍ରୀଧର ବ୍ୟାଙ୍କରୁ ଫେରି ଗାଡ଼ିରେ ଟଙ୍କା ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ । ପରେ ସେ ଜଗତସିଂହପୁର ଥାନରେ ଏସମ୍ପର୍କ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିପାରି ନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ