ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ୨୫କେଜିର ହରିଣ ମାଂସ ଜବତ ହୋଇଛି । ସୂଚନାନୁସାରେ ଜିଲ୍ଲାର ଭୁତମୁଣ୍ଡାଇ ପୋଲ ନିକଟରୁ ବନବିଭାଗ ଏହାକୁ ଜବତ କରିଛି । ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଏହାସହ ଯୁବକ ଠାରୁ ଏକ ସ୍କୁଟି ଜବତ କରିଛି ।
ଗିରଫ ଯୁବକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ଖରିନାସୀ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତି ଜଣକ ୨୫ କେଜିର ଚୋରା ହରିଣ ମାଂସ ବିକ୍ରି ପାଇଁ ଯାଉଥିବାବେଳେ କୁଜଙ୍ଗ ବନବିଭାଗର ସ୍କ୍ୱାର୍ଡ ହାବୁଡ଼ରେ ପଡ଼ିଥିଲା ।
ଏକ ବ୍ୟାଗରେ ୨୫ କେଜି ହରିଣ ମାଂସ ଧରି ସ୍କୁଟି ଯୋଗେ ପାରାଦୀପକୁ ବିକ୍ରି ପାଇଁ ଯାଉଥିଲା । ଏସମ୍ପର୍କରେ ବନ ବିଭାଗ ଖବରପାଇ ଅନୁସନ୍ଧାନ ଜାରି କରିଥିଲା । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯିବା ସହ ଉଦ୍ଧାର ମାଂସକୁ ପରୀକ୍ଷା ପାଇଁ ପଠାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ