ବ୍ରହ୍ମପୁର: ଘୋଡାହାଡ ଡ୍ୟାମରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ବାଲିଘାଇ ଗ୍ରାମର ରାଜେନ୍ଦ୍ର ବେହେରା । ଘୋଡାହାଡ ଡ୍ୟାମକୁ ମାଛ ଧରିବାକୁ ଡଙ୍ଗା ନେଇ ଯାଇଥିବା ବେଳେ ପାଣିରେ ବୁଡି ଯାଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜିକୁ ପଠାଇଛି ।
ସୂଚନା ଅନୁଯାୟୀ, ରବିବାର ଦିନ ରାଜେନ୍ଦ୍ର ଘୋଡାହାଡ ଡ୍ୟାମକୁ ମାଛ ଧରିବାକୁ ଏକ କାଠ ଡଙ୍ଗା ନେଇ ଯାଇଥିଲେ । ହେଲେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବା ଦେଖି ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ମାତ୍ର ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ବୁଧବାର ଦିନ ଗାଁର କିଛି ଯୁବକ ଉକ୍ତ ଡ୍ୟାମକୁ ମାଛ ଧରିବା ପାଇଁ ଯାଇଥିବା ସମୟରେ ଡ୍ୟାମ ଠାରୁ 15 କି.ମି ଦୂରରେ ନିଜ ଡଙ୍ଗା ନିକଟରେ ରାଜେନ୍ଦ୍ରଙ୍କର ଗଳିତ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ମୃତଦେହକୁ କୂଳକୁ ଆଣିବା ସହ ଏ ବାବଦରେ ପୋଲିସକୁ ଖବର ଦେଇଥିଲେ । ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ