ବ୍ରହ୍ମପୁର: ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ମହିଳାଙ୍କ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏହାସହ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ସୂଚନାଅନୁସାରେ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ପରିସରରେ ଗତ ଶୁକ୍ରବାର ରାତି ସମୟରେ ଏଭଳି ଘଟଣା ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଗଡହୁମ୍ମା ଅଞ୍ଚଳର ଟୁକୁନି ଦାଶ ହୋଇଥିବା ବେଳେ ସେ ଗୋପାଳପୁର ଥାନା ଅଞ୍ଚଳର ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ଅଞ୍ଚଳର ସୁକାନ୍ତ ନାୟକଙ୍କୁ ବିବାହ କରିଥିଲେ । ହେଲେ ସ୍ୱାମୀ ଜଣଙ୍କ ପତ୍ନୀ ଏବଂ ତାଙ୍କ ଦୁଇ ସନ୍ତାନକୁ ସଠିକ ଭାବରେ ଦେଖାଶୁଣା କରୁନଥିବା ନେଇ ମହିଳା ଜଣଙ୍କ ସ୍ଥାନୀୟ ଫାଣ୍ଡି ଏବଂ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ପୋଲିସ ବୁଝାସୁଝା କରିଥିବା ବେଳେ ପୋଲିସ ସମୁଖରେ ରାଜି ହୋଇ ମଧ୍ୟ ସେଭଳି କୌଣସି ସୁଫଳ ମିଳିନଥିଲା ।
ଏହାମଧ୍ୟ ପଢନ୍ତୁ:ଆଖି ବୁଜିଲେ ଥାନା ଆଗରେ ବିଷ ପିଇଥିବା ମହିଳା
ସେପଟେ ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ଗ୍ରାମରେ ଏକାକୀ ରହି ଆସୁଥିବା ବେଳେ ଅନେକ ଋଣ ବାକି ହୋଇଯାଇଥିବା ଯୋଗୁଁ ଏ ନେଇ ଅନେକ ମାତ୍ରାରେ ଚିନ୍ତିତ ରହିଥିଲେ । ମାନସିକ ଚାପଗ୍ରସ୍ତ ହୋଇ ଗତ ଶୁକ୍ରବାର ବିଷ ପିଇ ଦେଇଥିବା ବେଳେ ଗତକାଲି(ଶନିବାର) ବ୍ରହ୍ମପୁର ବଡ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୋଲିସ ପକ୍ଷରୁ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ସ୍ୱାମୀଙ୍କୁ ଅଟକ ରଖାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର