ବ୍ରହ୍ମପୁର: ରାଜ୍ୟର ସର୍ବାଧିକ କୋରୋନା ମାମଲା ଗଞ୍ଜାମରୁ ଚିହ୍ନଟ । ଦିନକୁ ଦିନ କୋରୋନା ପରିସ୍ଥିତି ଚିନ୍ତା ବଢାଇଛି । କୋରୋନା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ଏବେ ସ୍ବେଚ୍ଛାସେବା ସଙ୍ଗଠନ କିମ୍ବା ସଂଘ କୋଭିଡ ପରିଚାଳନା କରିପାରେ । ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଦ୍ବାରା ଆୟୋଜିତ ହୋଇଥିବା ଏକ ଭିଡିଓ କନଫରେନ୍ସିରେ ଏହି ନିଷ୍ପତ୍ତି ନିଆଯାଇଛି ।
ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସଂଘ ଗୁଡିକ ଚାହିଁଲେ ସ୍ବଇଚ୍ଛାରେ ସେମାନଙ୍କ ଅଞ୍ଚଳରେ ହୋମ୍ ଆଇସୋଲେସନ୍ ସେଣ୍ଟର କରିପାରିବେ । କମ୍ୟୁନିଟି କେୟାର ହେଲଥ ସେଣ୍ଟର ଗୁଡିକର ପରିଚାଳନା କାର୍ଯ୍ୟ ମଧ୍ୟ ତୁଲାଇ ପାରିବେ । ଏଥି ନିମନ୍ତେ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସଂଘ ଗୁଡିକୁ ଆହ୍ବାନ କରିଛନ୍ତି ।
ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ବିତ ଶିଶୁ ବିକାଶ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ଚିକିତ୍ସକଙ୍କୁ କୋଭିଡ-19 ପରିଚାଳନା ଗତ ବିଷୟକୁ ନେଇ ଆଲୋଚନା କରାଯାଇଥିଲା ।
କୋଭିଡ ମୁକାବିଲା ପାଇଁ ଜିଲ୍ଲାର ପ୍ରତିଟି ଅଞ୍ଚଳ ଯାଞ୍ଚ କରାଯାଇ ରେଡ ଜୋନ୍, ଗ୍ରୀନ ଜୋନ୍ ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି । ସମ୍ପ୍ରତି ରେଡ୍ ଜୋନରେ ସଂକ୍ରମିତ ବ୍ୟକ୍ତିଙ୍କୁ ନଜରରେ ରଖିବାକୁ ସେମାନଙ୍କ ଘର ସାମ୍ନାରେ ରେଡ୍ ଜୋନ୍ ଷ୍ଟିକର ଲଗାଯିବ । ସଂକ୍ରମିତ ବ୍ୟକ୍ତିଙ୍କୁ ଏକାନ୍ତ ରଖିବା ସହ ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ । ସହରାଞ୍ଚଳରେ ଯଦି କାହା ଘରେ ଏକାନ୍ତ ରହିବାର ସୁବିଧା ନଥିବ ତେବେ ସେମାନେ କମ୍ୟୁନିଟି କେୟାର ହେଲଥ ସେଣ୍ଟରରେ ରହିବେ । ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀ କମ୍ୟୁନିଟି କେୟାର ହେଲଥ ସେଣ୍ଟର ପରିଦର୍ଶନ କରି ସମସ୍ତ ସୁବିଧା ଠିକ୍ ରୂପେ ଉପଲବ୍ଧ ହେଉଛି ନା ନାହିଁ ତାହା ଯାଞ୍ଚ କରିବେ ।
ସାଧାରଣ ଥଣ୍ଡା, ଜ୍ବର ବ୍ୟକ୍ତି କମ୍ୟୁନିଟି କେୟାର ହେଲଥ ସେଣ୍ଟରରେ ଥିବା ଡାକ୍ତରଙ୍କ ପରାମର୍ଶ ନେବେ । ଦୂର ଚିକିତ୍ସାଳୟକୁ ଯିବା ଜରୁରୀ ନାହିଁ । ଜିଲ୍ଲା ସ୍ତରରୁ ଅଧିକାରୀମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯିବ ସେମାନେ କମ୍ୟୁନିଟି କେୟାର ହେଲଥ ସେଣ୍ଟରକୁ ଯାଇ ପର୍ଯ୍ୟବେକ୍ଷଣ କରି ତଦାରଖ କରିବେ । କେତେକ କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ