ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ପୁତ୍ରକୁ ଶେଷରେ କୁରାଢ଼ୀରେ ହାଣି ହତ୍ୟା କଲା ଜନ୍ମଦାତ୍ରୀ ମାଆ । ଏଭଳି ଏକ ଲୋମହର୍ଷଣ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମରେ । ଏନ୍ତୁଡ଼ିଶାଳରୁ ଲାଳନ ପାଳନ କରି ଶିଶୁକୁ ବଡ କରିଥିବା ମାଆ ଶେଷରେ ନିଜ ସନ୍ତାନକୁ ହତ୍ୟା କରି ଘର ବାରିପଟେ ପୋତି ଦେବା ଭଳି ବିରଳ ଓ ମର୍ମନ୍ତୁଦ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗ୍ରାମର ବାଉରୀ ସାହିରେ ଦୀର୍ଘ ଦିନ ଧରି ରହି ଆସୁଥିବା ସ୍ୱର୍ଗତ ଇନ୍ଦ୍ରମଣି ନାୟକଙ୍କ ୩୫ ବର୍ଷୀୟ ପୁତ୍ର ସୁକୁରୁ ନାୟକ ଇତି ମଧ୍ୟରେ ଗ୍ରାମରେ ବିଭିନ୍ନ ଆଳରେ ଝିଅ ବୋହୂ ମାନଙ୍କୁ ହଇରାଣ ହରକତ କରିବା ସହ ମଦ୍ୟପାନ କରି ନିଜ ଘରେ ଭଙ୍ଗାରୁଜା କରିବା ସହ ନିଜର ବିଧବା ମାଆ ଦୁହିତା ନାୟକଙ୍କୁ ମାତାଲ ଅବସ୍ଥାରେ ଅକଥନୀୟ ମାଡ ମାରୁଥିଲା । ପରିବାରର ସମସ୍ତଙ୍କୁ ମାଡ ମାରି ଗ୍ରାମରେ ଆତଙ୍କରାଜ ସୃଷ୍ଟି କରିଆସୁଥିଲା । ଏପରିକି ମୃତ ସୁକୁରୁ ଇତି ମଧ୍ୟରେ ଅନେକଙ୍କୁ ମାଡ ମାରିବା, ଝିଅ ବୋହୁଙ୍କୁ କମେଣ୍ଟ କରିବା ଦେଖିବାକୁ ମିଳିଥିଲା । ଏପରିକି ଗତକାଲି ରାତ୍ର ୧୧ ଘଟିକା ସମୟରେ ସୁକୁରୁ ନାୟକ ଘରେ ନିଜର ମା କୁ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ମାରପିଟ କରିଥିଲା ।
ତେବେ ରାତିରେ ସେ ଶୋଇବା ଅବସ୍ଥାରେ ନିର୍ଯାତନାରେ ଅସହ୍ୟ ହୋଇଯାଇଥିବା ଜନ୍ମଦାତ୍ରୀ ମା ଦୁହିତା କୁରାଢ଼ୀ ସାହାର୍ଯ୍ୟରେ ତାର ମୁଣ୍ଡ, ଛାତି, ଦୁଇ ହାତ ଓ କାନ ପାଖରେ ଶକ୍ତ ଚୋଟ ମାରିଥିଲା । ଯାହାଫଳରେ ସୁକୁରୁ ନାୟକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଉକ୍ତ ଘଟଣା କାଳେ ପ୍ରଘଟ ହୋଇଯିବ ଆଶଙ୍କାରେ ମୃତ ସୁକୁରୁର ମୃତଦେହ କୁ ଘର ପଛ ପଟେ ଭୋର ସମୟରେ ନେଇ ପୋତି ପକାଇଥିଲା ମା ଦୁହିତା ନାୟକ । ହେଲେ ପରବର୍ତ୍ତୀ ସମୟରେ ଏହାକୁ ମାଆ ନିଜ ପାଖରେ ଆଉ ହତ୍ୟା କରିଥିବା କଥାକୁ ରଖିନପାରିବାରୁ ଶେଷରେ ଏହାକୁ ନେଇ ଗ୍ରାମବାସୀଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିବା ବେଳେ ପୋଲିସ ଗ୍ରାମରେ ପହଞ୍ଚିବା ପରେ ଘଟଣାକୁ ନେଇ ମାଆ କୁ ଅଟକ ରଖି ପଚରା ଉଚାରା କରିଥିଲା । ଏହା ସହ ସମସ୍ତ ବୟାନ ରେକର୍ଡ କରିଥିବା ବେଳେ ସେ ଏହାକୁ ସ୍ୱୀକାର କରିଥିଲା । ତେବେ ସାଇଣ୍ଟିଫିକ ଟିମ ଓ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ ,ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ସମେତ ପୋଲିସ ଟିମ୍ ପହଞ୍ଚି ମୃତ ଦେହକୁ ମାଟିରୁ ବାହାର କରି ଯାଞ୍ଚ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ