ଭଞ୍ଜନଗର: ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ରୂପାନ୍ତରଣରେ ମହାଦୁର୍ନୀତି ଅଭିଯୋଗ । ଟଙ୍କା ସରିଗଲା ହେଲେ ସ୍କୁଲର ରୂପରେଖ ବଦଳିଲାନି । ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ଓ ସୁବିଧା ପାଇପାରିଲେ ନାହିଁ । ଏପରିକି ସ୍ମାର୍ଟ ସ୍କୁଲରେ ପାନୀୟ ଜଳ ଓ ଶୌଚାଳୟ ଭଳି ମୌଳିକ ସୁବିଧା ନଥିବା ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ବିଡିଓଙ୍କୁ ଚିଠି ଲେଖିଲେ ମଣ୍ଡଳ ଶିକ୍ଷା ଅଧିକାରୀ । ଏହାପରେ 5T ସ୍କୁଲରେ ହୋଇଥିବା ଦୁର୍ନୀତି ଲୋକଲୋଚନକୁ ଆସିଛି ।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଡିହପଢାଳ ପଞ୍ଚାୟତର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ 5T ଅନ୍ତର୍ଭୁକ୍ତ କରାଯାଇ ଗତ ଜୁନ ମାସରେ ଏହି ରୂପାନ୍ତରିତ ସ୍କୁଲର ଉଦଘାଟନ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାରଙ୍କ ୪୫ ଲକ୍ଷ ଅନୁଦାନ ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ସ୍କୁଲର ରୂପରେଖ ବଦଳି ପାରିନି । ସ୍ମାର୍ଟ ସ୍କୁଲ ଭାବରେ ଉଦଘାଟିତ ଏହି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଛାତ୍ରଛାତ୍ରୀଙ୍କୁ ପାନୀୟ ଜଳ ମଧ୍ୟ ମିଳୁନାହିଁ । ସେହିଭଳି ଛାତ୍ରଛାତ୍ରୀଙ୍କୁ କୌଣସି ମୌଳିକ ସୁବିଧା ମିଳୁନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।
5T ସ୍କୁଲରେ ଅବ୍ୟବସ୍ଥା ନେଇ ବିଡିଓଙ୍କୁ ଜଣାଇଛନ୍ତି ବିଇଓ
କିଛିଦିନ ତଳେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ବ୍ଲକର ପାଞ୍ଚଟି ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଭଞ୍ଜନଗର ଠାରେ ଏକ ବୈଠକ କରିଥିଲେ । ସେଠାରେ ସ୍କୁଲ ସମସ୍ୟା ନେଇ ଆଲୋଚନା ହୋଇଥିଲା । ସ୍ମାର୍ଟ ସ୍କୁଲରେ ସମସ୍ୟା ଥିଲେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଥିଲା । ଏହାପରେ ଡିହପଢାଳ ସ୍ମାର୍ଟ ସ୍କୁଲର ବିଭିନ୍ନ ସମସ୍ୟା ନେଇ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ତେବେ ବର୍ତ୍ତମାନ ବ୍ଲକ ଶିକ୍ଷାଧିକାରୀ ଏହି ସ୍କୁଲର ବିଭିନ୍ନ ସମସ୍ୟା ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠି ଏବେ ଭାଇରାଲ ହେବାରେ ଲାଗିଛି ।
ସଠିକ ତଦନ୍ତ ନହେଲେ ଜନ ଆନ୍ଦୋଳନ ହେବ
ଏପରି ମହାଦୁର୍ନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ମୁହଁ ଖୋଲିଛନ୍ତି ଡିହପଢାଳ ପଞ୍ଚାୟତର ସମିତି ସଭ୍ୟ ରାଧେଶ୍ୟାମ ଜେନା । ସେ କହିଛନ୍ତି, "ଏଠାରେ ଫଟା କାନ୍ଥରେ ରଙ୍ଗ ମରାଯାଇ ଏହାକୁ ରୂପାନ୍ତିକରଣର ନାମ ଦିଆ ଯାଉଛି । ସ୍ମାର୍ଟ ସ୍କୁଲକୁ ଆସିବାକୁ ରାସ୍ତା ନାହିଁ । ସାମାନ୍ୟ ବର୍ଷାରେ ଗେଟ ଆଗରେ ପାଣି ଜମା ହେଉଛି । ପିଲାଙ୍କ ପାଇଁ ପିଇବା ପାଣି କିମ୍ବା ଶୌଚାଳୟର ବ୍ୟବସ୍ଥା ନାହିଁ । ତେବେ ୪୫ ଲକ୍ଷ ଟଙ୍କା କେଉଁ ବାଟରେ ହେଲା ତାହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆନଗଲେ ସାଧାରଣ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ।"
"ମୁଁ ନୂଆ, କିଛି ଜାଣିନି" କହିଲେ ବିଡିଓ
ସେପଟେ ଭଞ୍ଜନଗର ବିଡିଓ ଶଶୀଭୁଷଣ ମହାପାତ୍ର କହିଛନ୍ତି, "ମୁଁ ଏବେ ଜଏନ କରିଛି । ମୋ ସମୟରେ ଏସବୁ ହୋଇନାହିଁ । ୪୫ ଲକ୍ଷ ଟଙ୍କା ହୁଏତ ଯଥେଷ୍ଟ ହୋଇନଥିବ । ମୁଁ ଅଭିଯୋଗ ପାଇବା ପରେ ନିଜେ ଗସ୍ତ କରି ଦେଖିଛି । ଏ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇବି । ସରପଞ୍ଚଙ୍କ ସହ ଆଲୋଚନା କରିବି । ଯଥାଶୀଘ୍ର ଏହାର ବାକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । "
ତେବେ ଡିହପଢାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସ୍ଥିତି ଦେଖିଲେ ସରକାରଙ୍କ ସ୍କୁଲ ରୂପାନ୍ତିକରଣ ଯୋଜନା ଏକ ପ୍ରହସନ ଭଳି ମନେ ହେଉଛି । ଏଠାରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ମିଳୁନଥିବାରୁ ବୃଦ୍ଧି ପାଉଛି ଅସନ୍ତୋଷ ।
ଇଟିଭି ଭାରତ, ଭଞ୍ଜନଗର