ବ୍ରହ୍ମପୁର: ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜା ଆସିଲେ ଉତ୍ସବ ମୁଖର ହୋଇଉଠେ ଗଞ୍ଜାମର ମା' ଦକ୍ଷିଣ କାଳୀଙ୍କ ପୀଠ । ମୂଳାଷ୍ଟମୀ ଠାରୁ ଆୟୋଜିତ ହୋଇଥାଏ ମା'ଙ୍କ ଷୋଡଶ ଉପଚାର ରୀତିନୀତି । ଏହି ୯ ଦିନ ଧରି ମା' ବିଭିନ୍ନ ବେଶରେ ପୂଜା ପାଇଥାନ୍ତି । ମା'ଙ୍କ ସ୍ଥାପନା ବାବଦରେ କୌଣସି ସଠିକ୍ ତଥ୍ୟ ନଥିଲେ ମଧ୍ୟ ସମ୍ରାଟ ଅଶୋକଙ୍କ ସମୟରୁ ମା' ଏଠାରେ ପୂଜାପାଇ ଆସୁଛନ୍ତି ବୋଲି କୁହାଯାଏ ।
କିମ୍ବଦନ୍ତୀ କହେ, ଅଶୋକଙ୍କ ସମୟରୁ ଯଉଗଡ ବୋଲି ଏକ ସ୍ଥାନ ଥିଲା । ସେଠାରେ ମା' ଅବହେଳିତ ହୋଇ ପଡି ରହିଥିଲେ । ୧୦୮ ଦଣ୍ଡୀ ଗୋସେଇଁ ଅବହେଳିତ ମୂର୍ତ୍ତିକୁ ପୁରୀ ନେବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ପୁରୁଷୋତ୍ତମପୁର ନିକଟସ୍ଥ ପ୍ରତାପପୁର ଗ୍ରାମରେ ମୂର୍ତ୍ତି ଭାରି ହୋଇଯିବାରୁ ସେଠାରେ ରଖି ଦେଇଥିଲେ ଦାଣ୍ଡୀ ଗୋସେଇଁ ।
ଏହାପରେ ରାତିରେ ମା' ଦଣ୍ଡିଗୋସେଇଁଙ୍କୁ ଏହିଠାରେ ପୂଜା କରିବାକୁ ସ୍ବପ୍ନାଦେଶ ଦେଇଥିଲେ । ସେବେଠାରୁ ପ୍ରତାପପୁର ଗ୍ରାମରେ ପୂଜାପାଇ ଆସୁଛନ୍ତି ମା' ଦକ୍ଷିଣ କାଳୀ । ତେବେ ମାଳତୀ ଗଡର ପତନ ପରେ ମାଙ୍କର ଏହି ପୀଠରେ ସ୍ଥାପନ ବୋଲି କୁହାଯାଏ । ଏହି ପୀଠରେ ମଧ୍ୟ ଭୋଳାନାଥ ଏକାମ୍ରେଶ୍ବର ପୂଜା ପାଉଛନ୍ତି । ତେବେ ଶାରଦୀୟ ଦୁର୍ଗା ପୂଜା ଆସିରେ ମା'ଙ୍କ ପୀଠରେ ଭକ୍ତଙ୍କ ସମାଗମ ହୋଇଥାଏ । ମାତ୍ର କୋଭିଡ୍ ଯୋଗୁଁ ଗତ ଦୁଇ ବର୍ଷ ହେବ ପୀଠ ଖାଁ ଖାଁ ।
ଅନ୍ୟପଟେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା' ତାରାତାରିଣୀଙ୍କ ପୀଠ ସହିତ ଦକ୍ଷିଣକାଳୀ ଏବଂ ନିକଟରେ ଥିବା ତୁମ୍ୱେଶ୍ୱର ମନ୍ଦିରକୁ ମିଶାଯାଇ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ତ୍ରିକୋଣୀୟ ପର୍ଯ୍ୟଟନକ୍ଷେତ୍ର କରିବାକୁ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି । ସତରେ ମା'ଙ୍କର ମହିମା ଓ କିମ୍ବଦନ୍ତୀ ଅନ୍ୟ ଓ ଅପାର । ଶାରଦୀୟ ଦୁର୍ଗାପୂଜାରେ ମାଙ୍କ କରୁଣା ପାଇଁ ଧାଇଁ ଆସୁଛି ଭକ୍ତ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ