ବ୍ରହ୍ମପୁର: ଗତ କିଛି ଦିନ ଧରି ଅଶାନ୍ତ ରହୁଛି ବଙ୍ଗୋପସାଗର । ଆତଙ୍କିତ ଅବସ୍ଥାରେ ପୋଡ଼ମପେଟା ଗ୍ରାମବାସୀ । ସମୁଦ୍ରର ଉଚ୍ଚ ଲହଡିରେ ଧୋଇଗଲା ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା ଗ୍ରାମର ଘର । ସମୁଦ୍ରରେ ବଡ ବଡ ଜୁଆର ଆସି ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା ଗାଁର ଅନେକ ଘର ପ୍ରତ୍ୟେକ ବର୍ଷ ସମୁଦ୍ରର ମିଶୁଥିବାବେଳେ ରବିବାର ପୁଣି ଛଅରୁ ଉର୍ଦ୍ଧ୍ବ ଗୃହ ଧୋଇ ହୋଇଯାଇଛି । ସମୁଦ୍ର କୂଳ ଲଙ୍ଘୁ ଥିବାବେଳେ ସେହି ଅଞ୍ଚଳର ଘର ଗୁଡିକ ଭୁଶୁଡ଼ିପଡିଛି ।
ସୂଚନା ଅନୁସାରେ, ପୋଡ଼ମପେଟା ଗ୍ରାମର ଅଧିକାଂଶ ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନନ୍ତର କରାଯାଇଛି । ମାତ୍ର ଏବେ ବି କିଛି ପରିବାର ଏହି ପୁରୁଣା ପୋଡ଼ମପେଟା ଗ୍ରାମର ସମୁଦ୍ର କୂଳରେ ରହୁଛନ୍ତି । ତେବେ ସମୁଦ୍ରର ଏପରି କରାଳ ରୂପରେ ଗୋଟିଏ ପରେ ଗୋଟିଏ ଘର ଲୀନ ହେବାର ଦେଖି ସେଠାକାର ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମବାସୀଙ୍କ ଚିନ୍ତା ବଢିଛି । ଏମତି ଯଦି କୁଳଲଙ୍ଘେ ତାହାହେଲେ ପୋଡ଼ମପେଟା ସହ କଣ୍ଟିଆଗଡ଼ ଏବଂ ଆଖପାଖର ଅନେକ ଗ୍ରାମ ସମୁଦ୍ର ମଧ୍ୟରେ ଲୀନ ହୋଇଯିବ । ଏଣୁ ପ୍ରଶାସନ ଏନେଇ ଦୃଷ୍ଟି ଦେଇ କିଛି ପଦକ୍ଷେପ ନେବା ପାଇଁ ସ୍ଥାନୀୟଲେକେ ଦାବୀ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର