ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଛେଳି ବେପାରିଙ୍କୁ ବୁଧବାର ମଧ୍ୟରାତିରେ ବନ୍ଧୁକ ଦେଖାଇ 16,81,800 ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ସୂଚନାମୁତାବକ, ସୋରଡ଼ାର ଏ.ଗଣେଶ ପାତ୍ର ଓ ସ. ତ୍ରିପତି ପାତ୍ର କେନ୍ଦୁପଲ୍ଲୀର ଡି.ବାୟା ପାତ୍ର ଏହି ତିନିଜଣ ମିଶି ସୋରଡ଼ା ଓ ଧରାକୋଟ ଅଞ୍ଚଳରୁ ଛେଳି, ବୋଦା କିଣି ଗାଡି ଯୋଗେ ବିଶାଖାପାଟଣାରେ ବିକ୍ରି କରିବାକୁ ନେଇଥାନ୍ତି । ଆଜକୁ ବହୁ ବର୍ଷ ହେଲା ଏମାନେ ଏହି ବେପାର କରି ଆସୁଥିଲେ ।

ବର୍ତ୍ତମାନ ସାତଦିନ ତଳେ ଛେଳି ବିକ୍ରି କରିବାକୁ ତିନିଜଣ ବିଶାଖାପାଟଣା ଯାଇଥିଲେ । ସେଠାରେ ସବୁ ଛେଳି ବିକ୍ରି କରି ମୋଟ 16,81,800 ଟଙ୍କା ଧରି ବସ ଯୋଗେ ଇଚ୍ଛାପୁର ଫେରିଥିଲେ । ଏହାପରେ ସେମାନେ ସେଠାରୁ ଚାଲିଚାଲି ସାତ କିଲୋମିଟର ଆସିବା ପରେ ତାଙ୍କର ପରିଚିତ ଅଟୋକୁ ଡକାଇ ଥିଲେ ।
ଏନେଇ ଅଟୋ ସାହାଯ୍ୟରେ ସେମାନେ ଫେରୁଥିବାବେଳେ ଧରାକୋଟ ନିକଟ କୁଲାଗଡ଼ ଟର୍ଣ୍ଣିଙ୍ଗରେ କିଛି ଦୁର୍ବୃତ୍ତ ଅଟୋକୁ ଅଟକାଇଥିଲେ । ଅଟୋର ପଛପଟେ ତିନିଜଣ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସବୁ ଟଙ୍କା ଲୁଟି ନେବାସହ ବନ୍ଧୁକର ପଛପଟୁ ସେମାନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।
ଗୁରୁବାର ଧରାକୋଟ ଥାନାରେ ତିନି ଜଣ ଅଭିଯୋଗ କଲାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ