ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ପରିସରରେ ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ବର୍ଗ ଡିଆଇଜିଙ୍କୁ ଭେଟି ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି । ଥାନାରେ ଥିବାବେଳେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବାର ବର୍ଗ । ଏଥିସହ ଡିଆଇଜିଙ୍କୁ ଭେଟି ତଦନ୍ତ ପାଇଁ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗୀପୁର ଗ୍ରାମରେ ୩୦ ବର୍ଷୀୟ ଯୁବକ ଗଣେଷ ଡାକୁଆଙ୍କୁ କୌଣସି ଏକ ମାମଲାରେ ପୋଲିସ ଥାନାକୁ ଆଣି କୋଭିଡ କାରଣରୁ ଶିଶୁ ଓ ମହିଳା ଡେସ୍କରେ ରଖିଥିଲେ । ଏହି ସମୟରେ ଯୁବକ ଜଣକ ପିନ୍ଧିଥିବା ବେଲ୍ଟରେ ଆତ୍ମହତ୍ୟା କରିଥିବା ଦେଖି ଥାନା ଦାୟିତ୍ବରେ ଥିବା ସେଣ୍ଟ୍ରିଙ୍ଗ୍ କର୍ମଚାରୀମାନେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାକୁ ୩ ମାସ ବିତି ଯାଉଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ପରିବାର ବର୍ଗ ୨ ଜଣଙ୍କ ନାମରେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ପରିବାର ବର୍ଗଙ୍କ ସହ ଡିଆଇଜି କାର୍ଯ୍ୟାଳୟ ସମୁଖରେ ଭାରତୀୟ ବିକାଶ ପରିଷଦର କର୍ମକର୍ତ୍ତା ଉପସ୍ଥିତ ରହି ପରବର୍ତ୍ତୀ ସମୟରେ ଏହାକୁ ନେଇ ଡିଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀମାନଙ୍କୁ ନିଳମ୍ବିତ କରାଯାଇଛି ଏବଂ ଥାନାଧିକାରୀଙ୍କୁ ବଦଳି କରାଯାଇ ସମସ୍ତ ବିଷୟକୁ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ