ବ୍ରହ୍ମପୁର: ତୁଟିଲା ବିବାଦ । ଭକ୍ତଙ୍କ ଅପେକ୍ଷାର ଅନ୍ତ । ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାକୁ ମିଳିଲା ଅନୁମତି । ଆସନ୍ତାକାଲି ମଧ୍ୟରାତ୍ରରେ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ । ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଭକ୍ତଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ନିର୍ବାଚିତ ପ୍ରତିନିଧି, ପ୍ରଶାସନ ଓ ଯାତ୍ରାର ମୁଖ୍ୟ ପରିଚାଳକଙ୍କ ଉପସ୍ଥିତିରେ ଚଳିତ ବର୍ଷ କୋରୋନା କଟକଣା ଭିତରେ ପାରମ୍ପରିକ ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି ମିଳିଛି । ଆସନ୍ତାକାଲି ମଧ୍ୟରାତ୍ରରେ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ ବୋଲି ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାଯରେ ଏହା ଏକ ସପ୍ତାହ ପାଇଁ ଅନୁମତି ମିଳିଛି । କୋଭିଡ-19 ସ୍ଥିତିକୁ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ ଅନୁମତି ପ୍ରଦାନ କରାଯିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।
ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ସମୟରେ ମାଆଙ୍କ ବାପଘର ଦେଶୀବେହେରା ସାହିରେ ଆୟୋଜିତ ସାଧାରଣ ବୈଠକରେ ଚଳିତବର୍ଷ କେତେ ଦିନ ଯାତ୍ରା ଆୟୋଜିତ ହେବ ସେ ନେଇ ତିଥି ସ୍ଥିର କରାଯିବ । ରବିବାର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦୋର , ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତି ଭାଶନ ଏବଂ ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ