ଭଞ୍ଜନଗର: ପୁଣି ସୁରତକୁ ଫେରିଲେ 37ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ । ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଶ୍ରମିକମାନେ ବସ ଯୋଗେ ବାହାରିଛନ୍ତି ସୁରତ । କୋରୋନା କାରଣରୁ ପ୍ରବାସୀ ଶ୍ରମିକ ଘର ବାହୁଡିଥିଲେ । ମାତ୍ର ଏବେ ଧିରେ ଧିରେ ସ୍ଥିତି ସୁଧୁରିବାକୁ ଲାଗିଥିବା ବେଳେ ଗୁଜୁରାଟ ଶିଳ୍ପ ବନ୍ଦ ପରେ ମୁଖ୍ୟଧାରାକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛି । ଏପରିସ୍ଥଳେ ଶ୍ରମିକ ସଙ୍କଟରୁ ମୁକୁଳିବା ପାଇଁ ମାଲିକମାନେ ଗଞ୍ଜାମ ଶିଳ୍ପ ଶ୍ରମିକଙ୍କ ଉପରେ ନିର୍ଭର ରହିଛନ୍ତି । ଏହାକୁ ଆଖି ଆଗରେ ରଖି ମାଲିକ ମାନେ ସମସ୍ତ ସର୍ତ୍ତ ଓ ସୁବିଧାର ବ୍ୟବସ୍ଥା କରି ଗଞ୍ଜାମରୁ ଶ୍ରମିକଙ୍କ ମାନଙ୍କୁ ଫେରାଇ ନେବାର ବନ୍ଦୋବସ୍ତ କରୁଛନ୍ତି । ଅନ୍ୟପଟେ ଓଡିଶାରେ କର୍ମ ସସ୍ଥାନର ଅଭାବ କାରଣରୁ ଶ୍ରମିକମାନେ ମଧ୍ୟ ସୁରତ ଯିବା ପାଇଁ ପ୍ରସ୍ତୁତ ରହିଛନ୍ତି ।
କୋରୋନାକୁ ନେଇ ସମଗ୍ର ଦେଶରେ ଲକଡାଉନ ହେବା ପରେ ଗତ ଏପ୍ରିଲ ମାସର ଶେଷ ସପ୍ତାହରୁ ସୁରତରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ଗଞ୍ଜାମକୁ ବସ ଯୋଗେ ଫେରିଥିଲେ l ସଙ୍ଗରୋଧ କେନ୍ଦ୍ରରେ ଚଉଦ ଦିନ ରହିବା ପରେ ସେମାନେ ଏବେ ନିଜ ଗାଁରେ ରହିଥିଲେ l ମାତ୍ର ଏବେ ଲକଡାଉନ ହଟିଛି ମାତ୍ର ଏବେ ବି ଜୀବନ ଜୀବିକା ବିପର୍ଯ୍ୟସ୍ତ । ଅନ୍ୟପଟେ ଶିଳ୍ପାନୁଷ୍ଠାନରେ ଶ୍ରମିକ ଶୂନ୍ୟ ଓ ଅନ୍ୟପଟେ ଶ୍ରମିକ ହାତ ମଧ୍ୟ ଖାଲି ପଡିଛି । ଏସବୁ ଭିତରେ ଯେଉଁ ମାଲିକ ମାନେ ଲକଡାଉନରେ ନିଜ ନିଜ କମ୍ପାନୀରେ କାମ କରୁଥିବା ଶ୍ରମିକମାନଙ୍କୁ ନିଜ ନିଜ ହାଲତରେ ଛାଡି ଦେଉଥିଲେ ଏବେ ସେହି ମାଲିକ ମାନେ ଶ୍ରମିକଙ୍କ ସନ୍ଧାନରେ ।
ଏହିକ୍ରମରେ ସୁରତ ସୁତାକଳର ଜୈନିକ ମାଲିକ ଗୋବିନ୍ଦ ମୋଦି ଭାଇ ଗଞ୍ଜାମର ଆସିକାକୁ ଆସି ଶ୍ରମିକ ମାନଙ୍କୁ ବୁଝାବୁଝି କରି, ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏଥିସହ ବସ ଭଡା କରି ଆସିକା ଓ ଆଖାପଖି ଅଞ୍ଚଳର ଶ୍ରମିକଙ୍କୁ ସୁରତକୁ ନେଇଛନ୍ତି l ଓଡିଶାରେ କୌଣସି କାମଧନ୍ଦା ନମିଳିବାରୁ ପୁଣି ସୁରତ ମାଲିକ ଉପରେ ଭରଷା ରଖି ଯାଇଥିବା କଥା ପ୍ରକାଶ କରିଛନ୍ତି ପ୍ରବାସୀ ଶ୍ରମିକ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ