ବ୍ରହ୍ମପୁର: ବିବାହକୁ ମାତ୍ର ୩ ଦିନ ହୋଇଥିଲା । କନ୍ୟାର ମଥାରେ ଲାଗିଥିଲା ସିନ୍ଦୁର, ହାତରେ ଥିଲା ନାଲି ଶଙ୍ଖା । ବର କନ୍ୟା ହାତରୁ ମଧ୍ୟ ଲିଭି ନଥିଲା ମେହେନ୍ଦି । ହାତରେ ହାତ ରଖି ପରସ୍ପରକୁ ଜୀବନ ସାରା ଏକାଠି ରହିବା ନେଇ ଦେଇଥିଲେ ପ୍ରତିଶୃତି । ବିବାହ ପରେ ଏକ ସୁନ୍ଦର ଜୀବନ ଆରମ୍ଭ କରିବା ନେଇ ସ୍ବପ୍ନ ଦେଖିଥିଲେ ନବ ଦମ୍ପତି । କିନ୍ତୁ ଏହି ସ୍ବପ୍ନ ଏବେ ସ୍ବପ୍ନ ହୋଇ ରହିଯାଇଛି । ଏକାଠି ହୋଇ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଦଇବ ସାଜିଲା ଦାଉ । ବିବାହ ପରେ ପ୍ରଥମଥର ପାଇଁ ନିଜ ଜୀବନସାଥୀକୁ ସାଙ୍ଗରେ ନେଇ କନ୍ୟା ବାପ ଘରକୁ ଆସୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଉଭୟ ଆଖି ବୁଜିଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ୧୬ ନଂ ଜାତୀୟ ରାଜପଥରେ ।
ମୃତ ଦମ୍ପତି ହେଉଛନ୍ତି ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳର ଜି.ବେଣୁ ଏବଂ ବ୍ରହ୍ମପୁର ସହରର ହନୁମାନନଗର ଅଞ୍ଚଳର ସିଏଚ.ପ୍ରବଣିକା । ଗତ ୧୦ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ପରମ୍ପରା ଅନୁସାରେ ବିବାହର ତୃତୀୟ ଦିନ ଝିଅ ଜ୍ବାଇଁ ସହ ଆସେ ବାପ ଘରକୁ । ତେଣୁ ଗତକାଲି(ସୋମବାର) ଜି.ବେଣୁ ଏବଂ ସିଏଚ.ପ୍ରବଣିକା ନିଜ ଘର ତଥା ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ଛକିଥିଲା ମୃତ୍ୟୁ । ଏକ ବାଇକ ଯୋଗେ ଉଭୟ ଆସୁଥିବା ବେଳେ ଗୋଳନ୍ଥରା ଥାନା ନିକଟରେ ହଠାତ ଏକ ବୋରୱେଲ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା ।
ଫଳରେ ଉଭୟ ଗୁରୁତର ଆହତ ହୋଇ ରାସ୍ତାରେ ପଡିରହିଥିଲେ । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଣିତା ଓ ବେଣୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଓ ବାଇକକୁ ପୋଲିସ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି । ଏପରି ଦୁଃଖଦ ଘଟଣା ପରେ ଉଭୟଙ୍କ ପରିବାରରେ ଶୋକର ଛାୟ ଖେଳିଯାଇଛି । ମୃତକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରାଯାଇଛି ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ଇଟିଭି ଭାରତ, ବ୍ରହ୍ମପୁର