ବ୍ରହ୍ମପୁର: ବିଦ୍ୟୁତ ଆଘାତରେ ମା’ ପୁଅଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟ ଗାଁରେ । ମୃତକ ମାନେ ହେଲେ ସଜନୀ ନାହାକ ଓ ତାଙ୍କ ପୁଅ ନାରାୟଣ ନାହାକ ।
ସୂଚନା ଅନୁଯାୟୀ, ନାରାୟଣ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ନିଜ ପରିବାର ପୋଷଣ କରିଥାନ୍ତି । ତେବେ ଗୁରୁବାର ସେ କୌଣସି କାରଣ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଏହା ଦେଖି ତାଙ୍କ ମାଆ ସଜନୀ ନାହାକ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।
ତେବେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନାରାୟଣ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସହ ଛଅ ମାସର ଶିଶୁପୁତ୍ର ଏକାକୀ ହୋଇ ପଡିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ