ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଟାର୍ଗେଟରେ ମନ୍ତ୍ରୀ । ସୁପ୍ରିମକୋର୍ଟ କହୁଛନ୍ତି ମନ୍ତ୍ରୀମାନେ ପାୱାରଫୁଲ କିନ୍ତୁ ଏଠି ସମ୍ପୂର୍ଣ୍ଣ ଓଲଟା ବୋଲି କହିଛନ୍ତି ପ୍ରଦୀପ । ଗତ କିଛି ଦିନ ତଳେ ଗଞ୍ଜାମର ଭଞ୍ଜନଗର ବିଧାୟକ ବାଚସ୍ପତି ପଦରୁ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘଟଣାକୁ ଦୋହରାଇ ମନ୍ତ୍ରୀଙ୍କୁ ସମୋଲୋଚନା କରିଛନ୍ତି ଗୋପାଳପୁର ବିଧାୟକ । ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଏକ୍ସପେରିମେଣ୍ଟ ମଡେଲରେ ନେଇଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ପ୍ରଦୀପ। ହିଞ୍ଜିଳି ସହ ଜିଲ୍ଲା ବିଭିନ୍ନ ବ୍ଲକରେ ଦାଦନ ସମସ୍ୟା ବଢୁଥିବା ବେଳେ ଗୋଷ୍ଠୀ କନ୍ଦଳ ପାଇଁ ଏହି ଜିଲ୍ଲାରେ ଅନେକଙ୍କ ଜୀବନ ଯାଉଥିବା ନେଇ ବିଧାୟକ ପ୍ରଦୀପ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଅନେକ ପ୍ରସଙ୍ଗ ଉଠାଇ ପରୋକ୍ଷରେ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ।
ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଓଡ଼ିଶା ଆଉ ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ବୋଲି କହୁଥିବାବେଳେ ଦାଦନଙ୍କ ସମସ୍ୟା ଉପରେ କୌଣସି ଗୁରୁତ୍ୱ ଦିଆଯାଉନଥିବା କହିଛନ୍ତି । ଏପରିକି ଚାଷୀଙ୍କ କ୍ଷେତ୍ରରେ କି ବେକାରୀ ସମସ୍ୟା ପାଇଁ ଦୃଷ୍ଟି ନାହିଁ ବୋଲି ମଧ୍ୟ କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏପରିକି ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିହା ବ୍ରହ୍ମପୁରର ଏମକେସିଜି ମେଡିକାଲର ସମସ୍ୟା ସହ ଟାଟା ପକ୍ଷରୁ କରାଯାଇଥିବା ହସ୍ପିଟାଲ ନ ଚାଲିବା ଭଳି ସମସ୍ୟା କାରଣରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଏହାସହ ରାଜ୍ୟର ଅନ୍ୟ ସ୍ଥାନରେ ଭଲ ଏୟାରପୋର୍ଟ ରହିଥିବାବେଳେ ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇ ମଧ୍ୟ ଅବହେଳିତ । ତମ୍ବୁ ପକାଇ ଏୟାରପୋର୍ଟ କାହିଁକି ହୋଇଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପ୍ରଦୀପ ।
ଏପରିକି ନିଜର ରାଜନୈତିକ କ୍ୟାରିଅର ଅନୁଭୂତି ବଖାଣିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ଯେ ମୁଖ୍ୟମନ୍ତ୍ରୀଙ୍କ ବହୁତ କାର୍ଯ୍ୟକ୍ରମ କରିଛି । ସେତେବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମକୁ ଯେତେବେଳେ ଯାଆନ୍ତି । ସେହି ସମୟରେ କୌଣସି ଲୋକ ଯଦି କିଛି ପ୍ରୋଜେକ୍ଟ ପାଇଁ ଦାବି କରେ ସେତେବେଳେ ଶାସନର ମୁଖ୍ୟଙ୍କୁ ଗୋଟିଏ ପ୍ରୋଜେକ୍ଟକୁ ବର୍ଷେରୁ ଦେଢ଼ବର୍ଷ ସମୟ ଲାଗେ । ବର୍ତ୍ତମାନ କିନ୍ତୁ ସଚିବ ଆସିଲେ ୨୪ ଘଣ୍ଟାରେ ପ୍ରୋଜେକ୍ଟ ଅନୁମୋଦନ ହେଇଯାଉଥିବା କହିବା ସହିତ ଏସବୁ ପାଇଁ ବିଭାଗୀୟ ମନ୍ତ୍ରୀ ଦାୟୀ ବୋଲି କହି ମନ୍ତ୍ରୀମାନଙ୍କୁ ସମାଲୋଚନା କରିଛନ୍ତି । ବିକାଶ ପାଇଁ ପରିବର୍ତ୍ତନର ଆବଶ୍ୟକତା ଥିବା କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ଇଟିଭି ଭାରତ, ବ୍ରହ୍ମପୁର