ବ୍ରହ୍ମପୁର: ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଗଞ୍ଜାମ ଉପକୂଳକୁ କାହିଁ କେଉଁ ଦୂରରୁ ପହଞ୍ଚିଯାଇଥାନ୍ତି ବିରଳ ଜାତିର ଅଲିଭ୍ ରିଡଲେ କଇଁଛ । ଋଷିକୁଲ୍ୟା ମୁହାଣରେ ଅତିଥି ଅଲିଭ୍ ରିଡଲେ । ବଙ୍ଗୋପସାଗର ବେଳାଭୂମିର 3 ରୁ 4 କିଲୋମିଟର ମଧ୍ୟରେ ଯୋଡା ଯୋଡା ହୋଇ ମିଳନ ପ୍ରକ୍ରିୟା ସାମିଲ ହେବା ସହ ଏହାର ପରବର୍ତ୍ତୀ ସମୟରେ ଗଣ ଅଣ୍ଡାଦାନ ଏବଂ ଶିଶୁ ଶାବକଙ୍କ ଯାତ୍ରା ରହିଥାଏ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଅଲିଭ୍ ରିଡଲେଙ୍କ ବହୁ ସଂଖ୍ୟାରେ ଆଗମନ ଗଞ୍ଜାମ ଉପକୂଳର ପାଲଟିଯାଇଥାନ୍ତି ଅତିଥି । ଏହି ସମୟରେ ଅତିଥିଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ନିଆଯାଇଥାଏ ଅନେକ ପଦକ୍ଷେପ । ପଢନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।
ଗଞ୍ଜାମ ଉପକୂଳରେ ଦୀର୍ଘ ଛଅ ମାସରୁ ଉର୍ଦ୍ଧ୍ବ ସମୟ ଧରି ରହିଆସିଥାନ୍ତି ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛ । ଏଣୁ ସେମାନଙ୍କୁ ଅତିଥି ଭାବରେ ବିବେଚନା କରାଯାଇ ସେମାନଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ନିଆଯାଇଥାଏ ଅନେକ ପଦକ୍ଷେପ । ମୁଖ୍ୟତଃ ରଷିକୁଲ୍ୟା ମୁହାଣର ପ୍ରାୟ ୫ ରୁ ୭ କିଲୋମିଟର ପରଧି ମଧ୍ୟରେ ବଙ୍ଗୋପସାଗରର ବେଳାଭୂମି ଠାରୁ 3 ରୁ 4 କିଲୋମିଟର ଗଭୀର ଜଳରାଶିରେ ଯୋଡା ଯୋଡା ହୋଇ ପ୍ରଥମେ ସାମିଲ ହୋଇଥାନ୍ତି ମିଳନ ପ୍ରକ୍ରିୟାରେ । ମିଳନର ପରବର୍ତ୍ତୀ ସମୟରେ ଗଣ ଅଣ୍ଡାଦାନ ଏବଂ ଶିଶୁ ଶାବକଙ୍କ ଯାତ୍ରା ସମୟ ରହିଥାଏ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗଞ୍ଜାମ ଉପକୂଳରେ ଗତ କିଛି ବର୍ଷର ବନ ବିଭାଗର ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡିଛି ୨୦୧୧-୧୨ ମସିହାରେ ପ୍ରାୟ 1 ଲକ୍ଷ 1 ହଜାର କଇଁଛ ଆସି ରଷିକୁଲ୍ୟା ମୁହାଣର ବେଳାଭୂମିରେ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ ।
ସେହିଭଳି ୨୦୧୨ -୧୩ ମସିହାରେ ୨ ଲକ୍ଷ ୮୬ ହଜାର କଇଁଛ , ୨୦୧୩-୧୪ ରେ ୫୯ ହଜାର କଇଁଛ , ୨୦୧୪-୧୫ରେ ୩ ଲକ୍ଷ ୯ ହଜାର , ୨୦୧୬-୧୭ରେ ୩ ଲକ୍ଷ ୭୦ ହଜାର, ୨୦୧୭-୧୮ରେ ରେକର୍ଡ ସଂଖ୍ୟକ ଦୁଇ ଥର ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ପ୍ରାୟ ୪ ଲକ୍ଷ ୮୨ ହଜାର ସାମିଲ ହୋଇଥିଲେ । ସେହିପରି ୨୦୧୯-୨୦ ରେ ୩ ଲକ୍ଷ ୨୩ ହଜାର , ୨୦୨୧-୨୨ ରେ ସର୍ବାଧିକ ରେକର୍ଡ କରି ପ୍ରାୟ 5 ଲକ୍ଷ ୫୦ ହଜାର ଅଲିଭ୍ ରିଡେଲ ଆସି ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ଜଣାପଡେ । ଚଳିତ ବର୍ଷ ଅଧିକ ଅଲିଭ ରିଡଲେ ଗଣ ଆଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ଆକଳନ କରାଯାଉଛି ।
ମୁଖ୍ୟତଃ ଅଲିଭ୍ ରିଡଲେଙ୍କର ଗଣ ଅଣ୍ଡାଦାନ ସମୟରେ ବ୍ରହ୍ମପୁର ବନଖଣ୍ଡର ବଙ୍ଗୋପସାଗର ବଳାଭୂମିର ପ୍ରୟାଗୀ ଠାରୁ ଆନ୍ଧ୍ର ସୀମାନ୍ତର ଅନନ୍ତରାୟପୁର ପର୍ଯ୍ୟନ୍ତ ୧୧ ଗୋଟି ଅଲିଭ୍ ରିଡଲେଙ୍କ ସୁରକ୍ଷା କ୍ୟାମ୍ପ ବନ ବିଭାଗ ପକ୍ଷରୁ କରାଯାଇଥାଏ । ସେଥିମଧ୍ୟରୁ ପ୍ରୟାଗୀ ଠାରୁ ପୁରୁଣାବନ୍ଧ ମଧ୍ୟରେ ରହିଥିବା ପ୍ରାୟ ପାଞ୍ଚ କିଲୋମିଟର ସମୁଦ୍ର ବେଳାଭୂମିକୁ ଅଲିଭ୍ ରିଡଲେମାନେ ନିଜର ସୁରକ୍ଷିତ ସ୍ଥାନ ଭାବରେ ବାଛି ନେଇ ଗଣ ଅଣ୍ଡାଦାନରେ ସାମିଲ ହୋଇଥାନ୍ତି । ଏଣୁ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅତିଥିଙ୍କ ନିମନ୍ତେ ପାଞ୍ଚ କିଲୋମିଟର ସମୁଦ୍ର ବେଳାଭୂମିକୁ 50 ଗୋଟି ଜୋନରେ ବିଭକ୍ତ କରାଯାଇ ପ୍ରତି ଜୋନରେ 5 ଜଣ ଲେଖାଏଁ ସୁରକ୍ଷା କର୍ମଚାରୀ ମୁତୟନ କରାଯାଇଥାଏ ।
ହେଲେ ଗତ କିଛି ବର୍ଷ ମଧ୍ୟରେ ଜଙ୍ଗଲ ଜନ୍ତୁ ଠାରୁ ଆରମ୍ଭ କରି କାଉ, ଚିଲ ଭଳି ପକ୍ଷୀ ଏବଂ ବୁଲା କୁକୁରଙ୍କ ନିକଟରୁ କଇଁଛ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ଅଣ୍ଡାଦାନ ପୂର୍ବରୁ ପ୍ରଥମଥର ପାଇଁ ଜିଆଇ ତାର ମାଧ୍ୟମରେ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି । ଏହି ସମୟରେ ଉକ୍ତ ଅଞ୍ଚଳକୁ ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୋ ଫିସିଙ୍ଗ୍ ଜୋନ୍ ଭାବରେ ଚିହ୍ନଟ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ।
ଜିଲ୍ଲା ରଷିକୁଲ୍ୟା ମୁହାଣକୁ ଗତ ୨୦୦୪ ମସିହାରୁ କ୍ରମାଗତ ଭାବରେ ବିରଳ ପ୍ରଜାତିର ଏହି ଅଲିଭ୍ ରିଡଲେ ମାନେ ଆସିବା ଆରମ୍ଭ କରିଥିଲେ । ଇତି ମଧ୍ୟରେ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ସହିତ ବିଭିନ୍ନ ସ୍ବଚ୍ଛାସେବୀ ଅନୁଷ୍ଠାନ, ଗ୍ରାମବାସୀ ଆଗକୁ ଆସୁଥିବା ଦେଖାଯାଇଛି । ମୁଖ୍ୟତଃ ନଭେମ୍ବରରୁ ଆସିଥିବା ଏହି ଅତିଥି ମାନେ ଡିସେମ୍ବର ମାସରେ ମିଳନ ପ୍ରକ୍ରିୟାରେ ବହୁଳ ମାତ୍ରାରେ ସାମିଲ ହେବା ସହିତ ଫେବୃଆରୀରୁ ଅପ୍ରେଲ ମାସ ମଧ୍ୟରେ ଗଣ ଅଣ୍ଡାଦାନରେ ସାମିଲ ହୋଇ ଫେରି ଯାଇଥାନ୍ତି । ଏହା ପରେ ବେଳାଭୂମିର ବାଲୁକାରାଶିରେ ରହୁଥିବା ଅଣ୍ଡା ଗୁଡିକ ୪୫ ଦିନ ପରେ ଶିଶୁ ଶାବକ ମାନେ ଜନ୍ମ ନେଇ ନିଜର କୁନି କୁନି ପାଦରେ ଆରମ୍ଭ କରିଥାନ୍ତି ନିଜର ଜୀବନ ଯାତ୍ରା । ଏଣୁ ଚଳିତବର୍ଷ ସେମାନଙ୍କ ସୁରକ୍ଷା କିପରି କରାଯିବ ସେନେଇ ପ୍ରସ୍ତୁତ କରାଯାଇଛି ବିଭିନ୍ନ ଯୋଜନା ।
୨୦୦୪ ମସିହାଠୁ ଅଦ୍ୟାବଧି ଗଞ୍ଜାମ ଉପକୂଳରେ ବ୍ୟବସାଧିକ କାରଣ ହେଉ କି କୌଣସି ଟ୍ରଲର ମାଡ କିମ୍ବା କୌଣସି ରୋଗରେ ଅଦ୍ୟାବଧି ୪୧୭୬ ଗୋଟି ଅଲିଭ୍ ରିଡଲେଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡିଛି । ସେପଟେ ବନବିଭାଗର ନିର୍ଦ୍ଦେଶକୁ ଅମାନ୍ୟ କରି ଗତ ଦୁଇ ବର୍ଷ ମଧ୍ୟରେ ଆନ୍ଧ୍ରରୁ ମାଛ ଧରିବାକୁ ଆସିଥିବା ଦୁଇଟି ଟ୍ରଲର ସମେତ ୧୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେପଟେ ଓଡିଶାର ଦେବୀନଦୀ ମୁହାଣ, ଗହୀରମଥା ସମେତ ଗଞ୍ଜାମର ରଷିକୁଲ୍ୟା ମୁହାଣକୁ ନିଜର ଏନ୍ତୁଡିଶାଳ ଭାବି ବର୍ଷ ବର୍ଷ ଧରି ଲଗାତର ଆସୁଥିବା ଅଲିଭ୍ ରିଡଲେଙ୍କ ସୁରକ୍ଷାକୁ ନେଇ ପ୍ରତି ବର୍ଷ ଅନେକ ପଦକ୍ଷେପ ନିଆଯାଉଛି ।
ଇଟିଭି ଭାରତ, ଗଞ୍ଜାମ