ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ବବୁରୁ ଥାନାରେ ଆତ୍ମସମର୍ପଣ କରିଛି ।
ମୃତକଙ୍କ ପରିବାରର ଅଭିଯୋଗ ଅନୁଯାୟୀ ପୋଲସରା ଥାନା ଅନ୍ତର୍ଗତ ବଣରାମଚନ୍ଦ୍ରପୁର ଗାଁର କଂଗ୍ରେସ ନାୟକଙ୍କ ଘର ନିର୍ମାଣକୁ ନେଇ ସେହି ଗ୍ରାମର ବବୁରୁ ନାୟକଙ୍କ ସହ ବହୁଦିନରୁ ବିବାଦ ଲାଗିରହିଥିଲା । ଏହାକୁ ନେଇ ଆଜି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବବୁରୁ ଏକ ଶାବଳରେ କଂଗ୍ରେସକୁ ଆକ୍ରମଣ କରିବା ଯୋଗୁଁ ସେ ଗୁରୁତର ହୋଇପଡିଥିଲା । ଖବର ପାଇ ପୋଲିସ ପହଞ୍ଚି କଂଗ୍ରେସକୁ ଉଦ୍ଧାର କରି ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲା ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କଂଗ୍ରେସ ନାୟକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ