ବ୍ରହ୍ମପୁର: ସମସ୍ତଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ । ଏହି ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ଯୁବକ ଯୁବତୀ ଅନେକ ସ୍ବପ୍ନ ଦେଖିଥାନ୍ତି । କିଏ ଦାମୀ କାରରେ ଚଢି ବାଜା ପଟୁଆର ସହ ବରଯାତ୍ରୀ କରି ବିବାହ କରିବାକୁ ସ୍ବପ୍ନ ଦେଖେ ତ ଆଉ କିଏ ନାମୀଦାମୀ ହୋଟେଲରେ ବଡଧରଣର ଆୟୋଜନର ଦେଖେ ସ୍ବପ୍ନ । ହେଲେ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଯାଇଛି ଆଦର୍ଶ ବିବାହ ।
ଜାତି, ଜାତକ, ଯୌତୁକ ଓ କର୍ମକାଣ୍ଡ ବିହୀନ କରାଯାଇଥିଲା ଏହି ବିବାହ ଉତ୍ସବ । ସହରର ବୈଦ୍ୟନାଥେଶ୍ବର ମନ୍ଦିର ନିକଟ କଲ୍ୟାଣ ମଣ୍ଡପ ପରିସରରେ ମାନବବାଦୀ ହେତୁବାଦୀ ସଂଗଠନ ଆନୁକୁଲ୍ୟରେ ଏହି ଆଦର୍ଶ ବିବାହର ଆୟୋଜନ କରାଯାଇଥିଲା । ବର ବିପ୍ଳବ କୁମାର ଥିବାବେଳେ କନ୍ୟା ଭାବେ କେ. ଅନିତା ପାତ୍ର ଥିଲେ । ବିବାହ ପୂର୍ବରୁ ଉଭୟ ପ୍ରଥମେ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ । ଏହାପରେ ସମ୍ବିଧାନକୁ ସାକ୍ଷୀ ରଖି ଉଭୟ ବିବାହ କରିଥିଲେ ।
ପୂର୍ବରୁ ସହରରେ ଏହିଭଳି ଏକ ବାହାଘର ସମ୍ପର୍ଣ୍ଣ ହୋଇଥିବା ବେଳେ ଏଭଳି ଏକ ନିଆରା ଢଙ୍ଗରେ ବାହାଘରରେ ଆୟୋଜନ କରି ଉଭୟ ବର ଓ କନ୍ୟା ଘର ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘ ବର୍ଷ ଧରି ବିପ୍ଲବଙ୍କ ପିତା ହେତୁଵାଦ ସଙ୍ଗଠନ ସହିତ ଜଡିତ ଥିବା ବେଳେ ନିଜ ପୁଅର ବିବାହ କରି ସେ ଏକ ଆଦର୍ଶ ସୃଷ୍ଟି କରିଛନ୍ତି । ଏଭଳି ଏକ ବିବାହର ଆୟୋଜନ କରାଯାଇଥିବାରୁ ସେମାନଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ