ବ୍ରହ୍ମପୁର: ଏମ୍.କେ.ସି.ଜି ମେଡିକାଲରେ ବରିଷ୍ଠ ଡାକ୍ତର ନିଯୁକ୍ତି ସହ ପ୍ରମୁଖ ଦାବି ନେଇ ପ୍ରତିବାଦ କଲେ ମାନବ ଅଧିକାରୀ ସୁରକ୍ଷା ମଞ୍ଚ । ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ବରିଷ୍ଠ ଡାକ୍ତର ପଦବୀ ଖାଲି ପଡ଼ିଛି । ଏଥିସହ ମେଡ଼ିକାଲରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ନେଇ ମାନବ ଅଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଏମ୍.କେ.ସି.ଜି ମେଡିକାଲ ପରିସରରେ ପ୍ରତିବାଦ କରାଯାଇଛି । ୧୫ଟି ପ୍ରମୁଖ ଦାବି ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛି ମାନବ ଅଧିକାରୀ ସୁରକ୍ଷା ମଞ୍ଚ ।
ବ୍ରହ୍ମପୁର ଏମ୍.କେ.ସି.ଜିର ସମସ୍ୟାକୁ ନେଇ କ୍ରମାଗତ ଭାବେ ମାନବ ଅଧିକାରୀ ସୁରକ୍ଷା ମଞ୍ଚ ଆନ୍ଦୋଳନ କରିଆସୁଛି । ମାତ୍ର କୌଣସି ସମସ୍ୟା ସମାଧାନ ହୋଇପାରୁନାହିଁ । ତେଣୁ ମଞ୍ଚ ପକ୍ଷରୁ ପୁଣି ଥରେ ଏଭଳି ପ୍ରତିବାଦ କରାଯାଇଛି । ଏମ୍.କେ.ସି.ଜି ମେଡିକାଲରେ ଅକାଳ ମୃତ୍ୟୁହାରକୁ ରୋକିବା ପାଇଁ ପ୍ରତି ବିଭାଗରେ ବରିଷ୍ଠ ଡାକ୍ତର ନିଯୁକ୍ତି କରିବା, ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ କରିବା, ମେଡିକାଲରେ ବର୍ଣ୍ଣକେୟାର ୟୁନିଟ ସ୍ଥାପନ କରିବା, ସିଟି ସ୍କାନ୍ ଓ ଏଣ୍ଡୋସ୍କୋପି ମେସିନ୍ କାର୍ଯ୍ୟକ୍ଷମ କରିବା, ମେଡିକାଲର ପ୍ରମୁଖ ୱାର୍ଡରେ ତଳେ ଶୋଇ ରହୁଥିବା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ବେଡ ବ୍ୟବସ୍ଥା କରାଇବା, ମଳ ଓ ମୁତ୍ର ପରୀକ୍ଷା କେନ୍ଦ୍ରରେ ପାଇଖାନା ବ୍ୟବସ୍ଥା କରାଇବା ଭଳି ପ୍ରମୁଖ 15 ଗୋଟି ଦାବି ନେଇ ଦୀର୍ଘ ସମୟ ଧରି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କରାଯାଇଛି । ଏନେଇ ଅଧିକ୍ଷକ ଡା.ସନ୍ତୋଷ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି ।
ନିୟମିତ ଭାବେ ଏମ୍.କେ.ସି.ଜି ମେଡିକାଲରୁ ବରିଷ୍ଠ ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି କରାଯାଉଥିଲେ ମଧ୍ୟ ଖାଲି ପଡିଥିବା ପଦବୀ ପୂରଣ କରାଯାଉନାହିଁ l ଅନ୍ୟପକ୍ଷରେ ବରିଷ୍ଠ ଡାକ୍ତରଙ୍କ ସଙ୍କଟକ ଏଡ଼ାଇବାକୁ ଯାଇ ପିଜି ଜୁନିଅର ଡାକ୍ତରଙ୍କୁ ଏକ ବର୍ଷିଆ ଠିକା ନିଯୁକ୍ତି ଦେଇ ରାଜ୍ୟ ସରକାର ଯେଉଁ ନୀତି ଗ୍ରହଣ କରିଛନ୍ତି ଅଧିକାଶଂ ସମୟରେ ବିପଦ ସଂକୁଳ ରୋଗୀଙ୍କ ଜରୁରୀ ଚିକିତ୍ସା ଆବଶ୍ୟକତା ବେଳେ ସମସ୍ୟା ଦେଖାଦେବା ସହିତ ରୋଗୀଙ୍କ ମୃତ୍ୟୁ ଘଟୁଥିବା ମଞ୍ଚ ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ ନିଦାନ ଯୋଜନାରେ ସମସ୍ତ ପରୀକ୍ଷା ବିନା ମୂଲରେ ହେଉଥିବା କୁହାଯାଉଥିବା ବେଳେ ଏଠାକାର ସିଟିସ୍କାନ ଓ ଏଣ୍ଡୋସ୍କୋପି ଦୀର୍ଘ ଦିନରୁ ବନ୍ଦ ରହିଛି । ଫଳରେ ରୋଗୀମାନେ ବାଧ୍ୟ ହୋଇ ବିଭିନ୍ନ ଘରୋଇ ପରୀକ୍ଷା କେନ୍ଦ୍ରକୁ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି l ଦୀର୍ଘ ବର୍ଷ ଧରି ଏମ୍.କେ.ସି.ଜିରେ ବର୍ଣ୍ଣ କେୟାର ୟୁନିଟ ପାଇଁ ଦାବି ହେଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ l
ଏଥିସହ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ସୁବିଧା ପାଇଁ ସହରର ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ମେଡିକାଲ ଦ୍ୱିତୀୟ ଗେଟ ଖୋଲାଯିବା, ରୋଗୀ ଦେଖିବା ସମୟରେ ଅନୁପସ୍ଥିତ ରହୁଥିବା ବରିଷ୍ଠ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନ୍ୟୁରୋଲୋଜି ବିଭାଗରେ ଇଣ୍ଡୋର ସେବା ଯୋଗାଇବା, କିଡ଼ନୀ ରୋଗୀଙ୍କ ପାଇଁ ପୃଥକ ଇଣ୍ଡୋର ବିଭାଗ ଖୋଲିବା, 24 ଘଣ୍ଟିଆ ଡାଏଲିସିସ ବ୍ୟବସ୍ଥା କରାଇବା, କାର୍ଡିଓଲୋଜି ଓ ନ୍ୟୁରୋଲୋଜି ବିଭାଗରେ ସ୍ୱତନ୍ତ୍ର ଆଇ.ସି.ୟୁ ରଖାଯିବା, ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇବା, ନିରାମୟ କେନ୍ଦ୍ରକୁ ସନ୍ଧ୍ୟା 5ଘଣ୍ଟା ପରିବର୍ତ୍ତେ ଆଉ ଏକ ଘଣ୍ଟା ସମୟ ବୃଦ୍ଧି କରି 6 ଘଣ୍ଟା ପର୍ଯ୍ୟନ୍ତ ଖୋଲା ରଖିବା ଭଳି ଦାବି କରାଯାଇଛି l
ଇଟିଭି ଭାରତ, ବ୍ରହ୍ମପୁର