ବ୍ରହ୍ମପୁର: ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ବ୍ରହ୍ମପୁର ସହରର କମ୍ମାପଲ୍ଲୀ ଛକରେ ରାସ୍ତାରୋକ କରିଛନ୍ତି ଗଞ୍ଜାମ ଓକିଲ ସଂଘ । ଓକିଲ ସଂଘ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଆଇନଜୀବୀମାନେ ବୁଧବାର ଏହି ରାସ୍ତାରୋକ କରିଛନ୍ତି ।
ଗତ କିଛି ବର୍ଷ ଧରି ସଂଘର ପୂର୍ବ ନିଷ୍ପତ୍ତି କ୍ରମେ ମାସର ଶେଷ ଚାରି ଦିନ ଆଇନଜୀବୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଉଛନ୍ତି । ତେବେ ବୁଧବାର ଏହି ଆନ୍ଦୋଳନରେ ସଂଘର ସଭାପତି ରବି ପାଣିଗ୍ରାହୀ ଓ ସମ୍ପାଦକ କୈଳାଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଆଇନଜୀବୀ ମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ ।
ତେବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନୂଆ ନୂଆ ଢଙ୍ଗରେ ଏଭଳି ଆନ୍ଦୋଳନ କରାଯାଉଥିବା ବେଳେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଏହି ଅବସରରେ ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା, ପ୍ରଦୀପ ବେହେରା, ଉପସଭାପତି ଚିତରଞ୍ଜନ ଶତପଥୀ, ସହ ସମ୍ପାଦକ କିରଣ କୁମାର ମଣ୍ଡଳଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ