ବ୍ରହ୍ମପୁର: ବିଜୁ ଜୟନ୍ତୀରୁ ପୂରଣ ହୋଇଛି ଗଞ୍ଜାମବାସୀଙ୍କ ସ୍ବପ୍ନ । ପ୍ରାଥମିକ ପର୍ଯ୍ୟାୟରେ ୯ଟି ସିଟ ବିଶିଷ୍ଟ ବିମାନ ରଙ୍ଗେଇଲୁଣ୍ଡା- ଭୁବନେଶ୍ବର ମଧ୍ୟରେ ଯାତାୟତ କରୁଛି । ତେବେ ଚଳିତ ମାସ ପାଇଁ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏବଂ ରାଜଧାନୀ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଉଡାଣ ପାଇଁ ସମୟ ସାରଣୀ ସ୍ଥିର କରାଯାଇଛି । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ସାରଣୀ ପ୍ରସ୍ତୁତ ନେଇ ସୂଚନା ଦିଆଯାଇଛି । ଯାତ୍ରା ପାଇଁ ଇଚ୍ଛୁକ ଯାତ୍ରୀମାନେ ଯାତ୍ରା ଆଗ୍ରୀମ ଟିକଟ ସଂଗ୍ରହ କରିପାରିବେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକଟ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏତିକି ଟଙ୍କା ରହିଛି ଟିକଟ ମୂଲ୍ୟ: ମାର୍ଚ୍ଚ ମାସର ୧୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବିମାନ ସମୟ ଏବଂ ଦର ନିର୍ଦ୍ଧାରିତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଯାତ୍ରା ଟିକଟର ମୂଲ୍ୟ ୧୨୦୦ ଟଙ୍କା ସହିତ ଅତିରିକ୍ତ ଟିକସ କର ଦେବାକୁ ପଡ଼ିବ । ଅଗ୍ରୀମ ଟିକଟ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବରିଷ୍ଠ ସହାୟକ ଉଦ୍ଧବ ସେଠୀଙ୍କ ଫୋନ ନମ୍ବର 82800 85437 ସହିତ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି । ମାର୍ଚ୍ଚ ୧୨, ୧୫, ୧୯, ୨୨, ୨୬ ଓ ୨୯ତାରିଖ ପାଇଁ ଉଡ଼ାଣ ସମୟ ଏବଂ ଟିକଟ ନିର୍ଦ୍ଧାରଣ କରାଯାଇଛି ।
ଗତ ମାର୍ଚ୍ଚ ମାସର ୫ ତାରିଖ ବିଜୁ ଜୟନ୍ତୀ ଅବସରରେ ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ପୂରଣ କରିଥିବା ବେଳେ ପ୍ରଥମ ଥର ପାଇଁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଉଡିଥିଲା ଛୋଟ ବ୍ୟବସାୟିକ ଏୟାରକ୍ରାଫ୍ଟ । ଏହା ପରେ ପ୍ରତ୍ୟକ ସପ୍ତାହରେ ଦିନକୁ ଦୁଇ ଥର ଉଡାଣ କରାଯିବା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଯାହାକୁ ନେଇ ଦ୍ୱିତୀୟଥର ଗତ ୮ ତାରିଖ ଦିନ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ସାଧାରଣ ଯାତ୍ରୀଙ୍କୁ ନେଇ ଦ୍ୱିତୀୟ ଥର ପାଇଁ ଉଡିଥିଲା ବିମାନ । ୧୨୬୦ ଟଙ୍କାରେ ଟିକେଟ୍ କରି ରଙ୍ଗେଇଲୁଣ୍ଡାରୁ ରାଜଧାନୀ ଭୁବନେଶ୍ୱରକୁ ଯାତ୍ରା କରି ଖୁସି ପ୍ରକାଶ କରିଥିଲେ ଯାତ୍ରୀ । ରଙ୍ଗେଇଲୁଣ୍ଡା ଏୟାରଷ୍ଟିପରୁ ବିମାନ ଉଡାଣ ପାଇଁ ପ୍ରାରମ୍ଭିକ ଭାବରେ ଆନୁସଙ୍ଗିକ ବିକାଶ କାର୍ଯ୍ୟ କରାଯିବା ପରେ ଏଭଳି ଉଡାଣ ଆରମ୍ଭ ହୋଇଥିଲା ।
ପରବର୍ତ୍ତୀ ସମୟରେ ଏଠାକାର ଏୟାରଷ୍ଟିପର ରନ୍ୱେର ବୃଦ୍ଧି ସହିତ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ପରେ ସରକାରଙ୍କ ପକ୍ଷରୁ ଉଡାଣ ଯୋଜନାରେ ଏହାକୁ ସାମିଲ କରାଯାଇ ଏହାର ଅପଗ୍ରେଡ କରାଯିବାକୁ ଯୋଜନା କରାଯାଇଛି । ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣ କ୍ଷେତ୍ରରେ ରାଜ୍ୟର ଏୟାର ଲାଇନ୍ ସଂଯୋଗ କରାଯାଉଥିବା ବେଳେ ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ ହୋଇଥିବାରୁ ଏହାରି ମାଧ୍ୟମରେ ଗଞ୍ଜାମର ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଚିଲିକା ହ୍ରଦ, ତାମ୍ପରା ଦ୍ରଦ, ଗୋପାଳପୁର ବେଳାଭୂମି, ରଷିକୁଲ୍ୟା, ପ୍ରସିଦ୍ଧ ମାଆ ତାରାତାରିଣୀ ମନ୍ଦିର ଭଳି ଆକର୍ଷଣୀୟ ସ୍ଥାନ ପ୍ରତି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ସହିତ ଅନେକ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି ।
ଇଟିଭି ଭାରତ ବ୍ରହ୍ମପୁର