ବ୍ରହ୍ମପୁର: ରାତି ଅଧିଆ ବାହାରିଲା ଜିଲ୍ଲାପ୍ରଶାସନ । ପ୍ଲାଷ୍ଟିକ ସହ ଟ୍ରାଫିକ ନିୟମ ଉପରେ ସହରବାସୀଙ୍କୁ ସଚେତନ କଲେ ଗଞ୍ଜାମ ଜିଲ୍ଲାପାଳ । ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ହେଲମେଟ ବ୍ୟବହାର କରିବାକୁ ସଚେତନ କରିବା ସହ ପଲିଥିନ କଟକଣା ଉପରେ ଜରିମାନା ଆଦାୟ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ରାତି ବେଳେ ଦୋକାନ ବଜାର ବନ୍ଦ ହେବା ସମୟରେ ଦୋକାନ ସମ୍ମୁଖରେ କିଛି ବ୍ୟବସାୟୀ ଆବର୍ଜନା ପକାଉଥିବା ଅଭିଯୋଗ ହେଉଥିଲା । ଯାହାକୁ ନେଇ ଜିଲ୍ଲାପାଳ ଅଚାନକ ଅର୍ବାନ ବ୍ୟାଙ୍କ ରୋଡ ସମେତ ବିଭିନ୍ନ ସ୍ଥାନରେ ରହିଥିବା 6ଟି ଦୋକାନକୁ ଅନୁଧ୍ୟାନ କରି 10 ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ଏପରିକି କାଗଜ ବ୍ୟାଗ ନାଁରେ ବ୍ୟବହାର ହେଉଥିବା କ୍ୟାରୀବାଗର ମଧ୍ୟ ଯାଞ୍ଚ କରିଥିଲେ ।
ଆଗାମୀ ଦିନରେ ମାର୍କେଟିଂ କରିବାକୁ ଆସିବା ସମୟରେ ବ୍ୟାଗ ନେଇ ଆସିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ଏପରିକି ନିଗମର ପରିମଳ ଗାଡି ଦ୍ବାରା ତାହାକୁ କିପରି ଉଠାଯିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରିଥିଲେ । ରାତି ସମୟରେ ସହରର ବିଭିନ୍ନ ସ୍ଥାନକୁ ଖୋଦ ଜିଲ୍ଲାପାଳଙ୍କ ସହ ଏହି ଗସ୍ତ ସମୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ମହାନଗର ନିଗମର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ