ବ୍ରହ୍ମପୁର: ଗଙ୍ଗା ଦାସ ହତ୍ୟାକାଣ୍ଡ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହିପରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ତଦନ୍ତ ପରେ ସ୍ପଷ୍ଟ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ବ୍ରହ୍ମପୁର ସଦର ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ରିଙ୍କୁ ଦାସ ଓ ଚନ୍ଦନ ଦାଶ ।
ଘଟଣା ରହିଥିଲା ଏହିପରି
ପୂର୍ବ ଶତ୍ରୁତାକୁ ନେଇ ଗଙ୍ଗାଙ୍କୁ ହତ୍ୟା କରିବା ପାଇଁ ଦୁଇ ଅଭିଯୁକ୍ତ ରିଙ୍କୁ ଦାସ ଓ ଚନ୍ଦନ ଦାଶ ପ୍ଲାନ୍ କରିଥିଲେ । ଆଉ ଏଥିରେ ରିଙ୍କୁ ଓ ଚନ୍ଦନଙ୍କୁ ମହୁଡା ଅଞ୍ଚଳର ସମ୍ପର୍କିୟ ମହେଶ୍ୱର ଦାସ ସହଯୋଗ କରିବାକୁ ସ୍ଥିର ହୋଇଥିଲା । ପ୍ଲାନ୍ ମୁତାବକ ଗତ ୧୧ ତାରିଖ ବିଳମ୍ୱିତ ରାତିରେ ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗାଦାଶ ନିଜର କାର୍ଯ୍ୟ ଶେଷ କରି ଗ୍ରାମର ନିକଟ ମହୁଡାରେ ଥିବା ଫ୍ୟାକ୍ଟ୍ରି ଫେରୁଥିଲେ । ଏହି ସମୟରେ ଗିରଫ ଦୁଇ ଅଭିଯୁକ୍ତ ସ୍କୁଟି ଯୋଗେ ଗଙ୍ଗାଙ୍କ ପଛେପଛେ ଆସିଥିଲେ । ଆଉ ସେହିଦିନ ରାତିରେ ଗଙ୍ଗା 10ଟା ସମୟରେ ଗ୍ରାମର ନିକଟସ୍ଥ ଲାଠୀ ନିକଟରେ ରହିଯିବା ସହିତ ଚିକେନ୍ ପୋକଡା କିଣୁଥିଲେ ।
ଆଉ ସେହି ସମୟରେ ଦୁଇ ଅଭିଯୁକ୍ତ ଗଙ୍ଗା ନିଜ ଗ୍ରାମକୁ ଫେରିବାକୁ ରାସ୍ତାର ନିଛାଟିଆ ସ୍ଥାନରେ ଅପେକ୍ଷା କରି ରହିଥିଲେ । ସମ୍ପର୍କୀୟ ମହେଶ୍ୱର ଦାସ ଘଟଣାସ୍ଥଳରେ ରହି ଗଙ୍ଗାଙ୍କ ସମସ୍ତ ଗତିବିଧି ସମ୍ପର୍କରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ସୂଚନା ଦେଉଥିଲେ । ମୃତକ ଜଣଙ୍କ ଲାଠି ଗ୍ରାମ ଅତିକ୍ରମ କରିବା ପରେ ନିଛାଟିଆ ସ୍ଥାନର ସୁଯୋଗ ନେଇ ରିଙ୍କୁ ଓ ଚନ୍ଦନ ଖଣ୍ଡାରେ ଗଙ୍ଗାଙ୍କ ଉପରକୁ ଆକ୍ରମଣ କରି ହତ୍ୟା କରିବା ପରେ ତାର ମୃତ ଶରୀରକୁ ଦୁଇ ଶହ ମିଟର ଘୋଷାଡି ଏକ ଚାଷ ଜମି ମଧ୍ୟରେ ପକାଇ ଚାଲିଯାଇଥିଲେ । ଆଉ ଏହି ଘଟଣା ପରେ ମୃତ ଗଙ୍ଗାଙ୍କ ପତ୍ନୀ ବର୍ଷା ଦାଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଅନ୍ୟପଟେ ହତ୍ୟାକାଣ୍ଡ ଘଟଣାରେ ସହଯୋଗ କରିଥିବା ମହେଶ୍ୱର ଦାସକୁ ଗିରଫ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରଖିଥିବା କୁହାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ହତ୍ୟାରେ ବ୍ୟବହୃତ ହୋଇଥିବା ଖଣ୍ଡା, ହତ୍ୟାରେ ବ୍ୟବହୃତ ମୋଟର ସାଇକେଲକୁ ଜବତ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର