ଭଞ୍ଜନଗର: ବାଘ ମୃତ୍ୟୁ ଘଟଣାରେ 7 ଜଣଙ୍କୁ ଗିରଫ କରିଛି ବନବିଭାଗ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଶାବଳ, କାତି, କିଛି ବନ୍ୟଜନ୍ତୁଙ୍କ ଅଂଶବିଶେଷ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା ବନାଞ୍ଚଳର କୁଣ୍ଡା ଖାଇ ପାହାଡ଼ରେ ବାରହା ଶିକାର ପାଇଁ ପକାଯାଇଥିବା ଫାସରେ କଲରାପତରିଆ ବାଘ ଫସି ଯାଇଥିଲା । ତେବେ ତାକୁ ଉଦ୍ଧାର କରିବାକୁ ବନବିଭାଗ ନାକେଦମ ହେବାକୁ ପଡିଥିଲା । ଶେଷରେ ବାଘଟି ଉଦ୍ଧାର ହୋଇଥିବାବେଳେ ତାକୁ କିରିଆମ୍ବା ଜଙ୍ଗଲରେ ଛାଡିବାକୁ ନିଷ୍ପତ୍ତି ନିଆଯାଇଥିଲା ।
କିନ୍ତୁ ତା ପୂର୍ବରୁ ହିଁ ବାଘଟିର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ତୁମ୍ବି ତୋଫାନ ଦେଖାଦେଇଥିଲା । ସେପଟେ ଏହି ଘଟଣାରେ ଆଜି ନୀତି ନିୟମ ଅନୁସାରେ ବୁଗୁଡ଼ା କାର୍ଯ୍ୟାଳୟରେ ବାଘର ସଂସ୍କାର କରାଯାଇଛି । ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସାତ ଜଣଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଭଞ୍ଜନଗର ଡିଏଫଓ ଜଣାଇଛନ୍ତି ଏବଂ ଆଗକୁ ମଧ୍ୟ ବନ୍ୟଜନ୍ତୁ ଶିକାରୀଙ୍କ ଉପରେ ଚଢାଉ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ