ଗଞ୍ଜାମ: ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ କର୍ମଚାରୀ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଦୟାନିଧି ମହନ୍ତ । ସେ ଆସିକା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । କେଉଁ କାରଣରୁ କର୍ମଚାରୀ ଜଣକ ଆସିକାରୁ ଆସି ବୁଡ଼ାକେନ୍ଦୁ ଜଙ୍ଗଲରେ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ପ୍ରକୃତରେ ଏହା ଆତ୍ମହତ୍ୟା ନା ଆତ୍ମହତ୍ୟାର ରୂପ ଦିଆଯାଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ମୁତାବକ ଗତକାଲି (ସୋମବାର) ରାତିରେ ବୁଢ଼ାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ ।
ଆଜି ସକାଳୁ କର୍ମଚାରୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗାଙ୍ଗପୁର ପୋଲିସ, ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ