ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସଣ୍ଢାବାଲି ଗ୍ରାମ ନିକଟ ଧାନ ଖଳାରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ବସ୍ତା ପୋଡି ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷେ ଚାଷୀ ମାନେ ଧାନ ଖଳାରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବାରୁ ଅଳ୍ପକେ ବର୍ତ୍ତିଲେ 4 ଜଣ ଚାଷୀ ।
ସୂଚନାମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କିଛି ଧାନ ବସ୍ତା ଚୋରି କରି ନେବା ଉଦ୍ଦେଶ୍ୟରେ ଆସି ଧାନ ଖଳାରେ ନିଆଁ ଲଗାଇ ଚମ୍ପଟ ମାରିଛନ୍ତି । ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ଖଳାରେ ଶୋଇଥିବା ଚାଷୀଙ୍କୁ ନିଆଁରୁ ଉଦ୍ଧାର କରିଥିଲେ। ଖବରପାଇ ସୋରଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେପଟେ କ୍ଷତି ପୂରଣ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ଚାଷୀ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ