ବ୍ରହ୍ମପୁର: ରେଶମ ସହରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସହରର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜିତ ହୋଇଆସୁଥିବା ବେଳେ ପ୍ରମୁଖ ଭାବରେ ଗୋଷାଣୀନୂଆଗାଁ, କୋର୍ଟପେଟା, ସାନବଜାର, ବଡବଜାର ଓ ପାଣିଟାଙ୍କି ଭଳି ସ୍ଥାନମାନଙ୍କରେ ରଥଯାତ୍ରା ପାଇଁ ଭକ୍ତଙ୍କ ସମାଗମ ହେବ । ରଥଯାତ୍ରା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ରେଳ ସୁରକ୍ଷା ବଳ ପକ୍ଷରୁ ସହାୟତା କେନ୍ଦ୍ର ଖୋଲାଯାଇଛି । ଏଥିରେ ରେଳ ବିଭାଗର ଚିକିତ୍ସକ ଏସ୍.ପଟ୍ଟନାୟକଙ୍କ ସମେତ ଷ୍ଟେସନ ମ୍ୟାନେଜର ଏବଂ ଆର୍.ପି.ଏଫ୍ ର ଅଧିକାରୀ ଉପସ୍ଥିତ ରହିଥିଲେ । ରେଳ ସହାୟତା କେନ୍ଦ୍ର ଯାତ୍ରୀଙ୍କୁ ସହାୟତା ହେବ ବୋଲି କୁହାଯାଇଛି ।
ସହରର ଗୋଷାଣୀନୂଆଗାଁ ଠାରେ ଘୋଷଯାତ୍ରା ପାଇଁ ମହାପ୍ରଭୁଙ୍କ ପହଣ୍ଡି ଦିନ 10ଟାରେ ଆରମ୍ଭ ହେବା ସହ ଅପରାହ୍ନ 4.30 ସମୟରେ ରଥଟଣା ଆୟୋଜିତ ହେବ । ବ୍ରହ୍ମପୁରର ରଥଯାତ୍ରା ସମୟରେ ଗୋଷାଣୀନୂଆଗାଁରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାଙ୍କ ଦ୍ବାରା ଟଣାଯାଉଥିବାରୁ ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ମନ୍ଦିରର ପରିଚାଳକ ପ୍ରକାଶ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ