ବ୍ରହ୍ମପୁର: ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି । ଶେଷରେ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇ ଛେଚା ଖାଇଛନ୍ତି ପ୍ରଧାନ ଶିକ୍ଷକ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଘଟଣା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ରଢେଇଶ ଗ୍ରାମରେ ଥିବା ବିଦ୍ୟାଳୟ ପ୍ରଧାନଶିକ୍ଷକ ହେଉଛନ୍ତି ମାନସ ମଣ୍ଡଳ । ସେ ନିକଟବର୍ତ୍ତୀ ସାନଖେମୁଣ୍ଡି ବ୍ଲକର ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ବାଇଲଖୋଲିଆ ଗ୍ରାମରେ ଜୈନିକ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ।
ତେବେ ଏହା ଏକ ପରକୀୟା ପ୍ରୀତି ସମ୍ପର୍କ ଜାଣିବା ପରେ ଗ୍ରାମବାସୀ ଉଭୟ ପ୍ରଧାନ ଶିକ୍ଷକ ଏବଂ ବିବାହିତ ମହିଳାଙ୍କୁ ଡାକି ବାରଣ କରିବା ସହ ବୈଠକରେ ଶିକ୍ଷକଙ୍କୁ ଜୋରିମାନା ପକାଇଥିଲେ । ମାତ୍ର ପ୍ରଧାନଶିକ୍ଷକ ଏହାକୁ ଖାତିର୍ କରିନଥିଲେ ।
ଫଳରେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ପ୍ରଧାନଶିକ୍ଷକଙ୍କୁ ଗ୍ରାମର ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଏଥିସହ ଏହି ଘଟଣା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯିବା ପରେ ସେ ଏହି ଘଟଣା ତଦନ୍ତ କରାଯିବ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ