ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସମନ୍ବିତ କୃଷିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରେରଣାରେ ଗ୍ରାମାଞ୍ଚଳରେ କୃଷିର ରୂପାନ୍ତରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଛି ।
କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ମୃତ୍ତିକା ସଂରକ୍ଷଣ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମର ସମନ୍ବୟରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ମତବ୍ୟକ୍ତ କରିଛନ୍ତି ଯେ, ଗଞ୍ଜାମ ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ଏବଂ କୃଷିର ଆନୁସଙ୍ଗିକ ବିଭାଗଗୁଡିକର ଉନ୍ନତି ହେଲେ ଚାଷୀର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ । ଏହା ସହିତ ପାରମ୍ପରିକ ଚାଷରୁ ଚାଷୀ କିପରି ଉଦ୍ୟୋଗୀ ହୋଇପାରିବ ସେଥିପ୍ରତି ବିଭାଗ ଗୁଡିକ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବୈଠକରେ ପରାମର୍ଶ ଦେଇଛନ୍ତି ।
କୃଷକ ସଶକ୍ତିକରଣ ଯୋଜନାରେ କୃଷିର ଉନ୍ନତି ହେଲେ ଦେଶର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇପାରିବ । ଗ୍ରାମାଞ୍ଚଳରେ କୃଷିର ରୂପାନ୍ତରଣ କାର୍ଯ୍ୟକ୍ରମ ଠିକ୍ ଭାବେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଏବଂ ଚାଷୀର ଆୟ ଯେପରି ବୃଦ୍ଧି ପାଇବ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଜୀବିକା ନିର୍ବାହୀ କୃଷିକୁ ବ୍ୟବସାୟୀକ କୃଷିରେ ପରିଣତ କରିବା, ସମନ୍ବୀତ କୃଷି ଓ ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରିବା, ଜମି ଓ ଜଳର ସୁବିନିଯୋଗ ନିମନ୍ତେ ଜୈବିକ କୃଷି ଓ ଆଧୁନିକ ଜଳସେଚନ ଉପକରଣର ବ୍ୟବହାର କରିବା, ଚାଷୀକୁ କୃଷି ଉଦ୍ୟୋଗୀ କରିବା ଓ ଉତ୍ପାଦନକୁ ବଜାର ସଂଯୋଗୀକରଣ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଜିଲ୍ଲାର ପ୍ରତି ଗ୍ରାମ ପଞ୍ଚାୟତରେ ୧୦ ଜଣ ଲେଖାଏଁ ଚାଷୀଙ୍କୁ ଚିହ୍ନଟ କରି ଏହି ବିଭାଗ ମାଧ୍ୟମରେ ଆୟ ବୃଦ୍ଧି କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିବା ସହ କୃଷି ସମ୍ପର୍କିତ ସମସ୍ତ ବିଭାଗ ସମନ୍ବୟ ରକ୍ଷାକରି କାମ କଲେ ଚାଷର ଉନ୍ନତି ହୋଇପାରିବ ବୋଲି କହିଥିଲେ । କୃଷି ବିଭାଗ ଓ ଉଦ୍ୟାନ କୃଷି ମୋ ଖତ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ସେଥିପ୍ରତି ଉତ୍ସାହିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜୈବଗ୍ୟାସର ବ୍ୟବହାର, କିଷାନ୍ କ୍ରେଡିଟ୍ କାର୍ଡ, ମିଶନ୍ ଶକ୍ତି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଦ୍ବାରା ଚାଷୀ ମାନଙ୍କ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସ୍ବରୋଜଗାର ଯୋଜନାରେ ଗୁହାଳ ନିର୍ମାଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଦି ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେବା ସହ ସମସ୍ତ ଯୋଜନା ଗୁଡିକ ଯେପରି ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ