ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମୀରେ ଏକ ବଡ ଧରଣର ମୃତ ସାମୁଦ୍ରିକ ଡଲଫିନ ଦେଖିବାକୁ ମିଳିଛି । ଖବରପାଇ ଡଲଫିନକୁ ଉଦ୍ଧାରକରି ଭିସାରା ପାଇଁ ପଠାଇଛି ବନବିଭାଗ ।
ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ମୃତ ଡଲଫିନଟି ପାଣିର ଲହରୀରେ ଭାସି ଆସି କୂଳରେ ଲାଗିଥିବା ସ୍ଥାନୀୟ ମତ୍ସ୍ୟଜୀବୀ ଓ ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ଏହାପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନଟିକୁ ଉଦ୍ଧାର କରିଥିଲେ । ମୃତ ସାମୁଦ୍ରିକ ଡଲଫିନର ଲମ୍ବ ୫ ଫୁଟ ହୋଇଥିବା ବେଳେ ଓ ଓସାର ୮ ଇଞ୍ଚ ରହିଛି । ଅନ୍ୟପଟେ ମୃତ ଡ଼ଲଫିନକୁ ଚିକିଟି ବ୍ଲକର ପଶୁ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ବ୍ୟବଚ୍ଛେଦ କରାଯିବା ପରେ ନିୟମ ଅନୁଯାୟୀ ମାଟି ତଳେ ପୋତି ଦିଆଯାଇଥିଲା । ସେପଟେ ମୃତ ଡଲଫିନର ଭିସାରାକୁ ପରୀକ୍ଷା ପାଇଁ ଗୋପାଳପୁର ସ୍ଥିତ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ପଠାଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବ୍ରହ୍ମପୁର