ବ୍ରହ୍ମପୁର: ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ରେଶମ ସହରରୁ ଦିଲ୍ଲୀ ଯାତ୍ରା। ସହରର ଗୋଷାଣୀ ନୂଆଗାଁ ଅଞ୍ଚଳର ସି.ଏଚ୍ ଦାମୋଦର ଆଚାରୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ ନିଜର ଏହି ଯାତ୍ରା ଆରମ୍ଭ କରିଛନ୍ତି । ସେ ମାସେ ବ୍ୟାପି ଭୁବନେଶ୍ବର, କଲିକତା, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଦେଇ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ଲକ୍ଷ୍ୟ ରଖିଛନ୍ତି। 'ମା’, ମାଟି, ଗଛ ଆଉ ସବୁ ପଛ' ଏଭଳି ବାର୍ତ୍ତା ଦୀର୍ଘ ୩୦ ଦିନ ଧରି ବିଭିନ୍ନ ରାଜ୍ୟ ପରିକ୍ରମା କରିବା ପରେ ଦିଲ୍ଲୀରେ ପହଞ୍ଚିବେ ।
ସେପଟେ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ବ୍ରହ୍ମପୁରରୁ ବାହାରିଥିବା ଦାମୋଦରଙ୍କୁ ସହରର ରାମହରି ନଗରର ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀ ସୁଦୀପ୍ତି ନିଜ ସଞ୍ଚିତ 1201 ଟଙ୍କା ପ୍ରଦାନ କରିଥିଲେ । ଏଥିସହ ତାଙ୍କ ଯାତ୍ରାକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସହରର ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
ପ୍ରକାଶ ଯେ, ଗତ ୨୦୦୩ ମସିହାରେ ଦାମୋଦର ଏଡସ ରୋଗ ସଚେତନତା ନେଇ ସାଇକେଲରେ ବ୍ରହ୍ମପୁରରୁ ତିରୁପତି ଗସ୍ତ କରିବା ସହ ଅନେକ ଥର ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସଚେତନତା କରିଛନ୍ତି । ଏହି ଯାତ୍ରାରେ ଦୈନିକ ୮୦ରୁ ୧୦୦ କିମି ଯାତ୍ରା କରିବେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ