ବ୍ରହ୍ମପୁର: ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା (bsky smart health card) । ଆଜି ଯୋଜନାର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik Visit Ganjam) ସକାଳ 11 ଟାରେ ପୁରୁଷୋତ୍ତମପୁରରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏହି ଯୋଜନାରେ ଜିଲ୍ଲାରେ ୨୬ ଲକ୍ଷ ୭୬ ହଜାର ଉପକୃତ ହେବେ । ଏହି ଅବସରରେ ଜିଲ୍ଲାରେ bsky ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିନିକିଆ ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମା' ତାରାତାରିଣୀଙ୍କ ଦର୍ଶନ କରି ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ମା' ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
![BSKYରେ ସାମିଲ ହେଲା ଗଞ୍ଜାମ, ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି](https://etvbharatimages.akamaized.net/etvbharat/prod-images/13884442_cm1.jpg)
ଏହାବାଦ୍ ଡିଜିଟାଲ ପ୍ଲାର୍ଟଫର୍ମ ଜରିଆରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୨୧୪୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ସେଥିମଧ୍ୟରେ ୧୫୮୩ କୋଟି ଟଙ୍କାର ୬୪୫ଟି ପ୍ରକଳ୍ପ ଓ ୧୨୭ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରର କାର୍ଯ୍ୟ ସାମିଲ ରହିଛି ।
![BSKYରେ ସାମିଲ ହେଲା ଗଞ୍ଜାମ, ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି](https://etvbharatimages.akamaized.net/etvbharat/prod-images/13884442_cm3.jpg)
![BSKYରେ ସାମିଲ ହେଲା ଗଞ୍ଜାମ, ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି](https://etvbharatimages.akamaized.net/etvbharat/prod-images/13884442_cm2.jpg)
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଅଗଷ୍ଟ ମାସ ୨୦ ତାରିଖରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।
![BSKYରେ ସାମିଲ ହେଲା ଗଞ୍ଜାମ, ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି](https://etvbharatimages.akamaized.net/etvbharat/prod-images/13884442_cm.jpg)
ଏହାପରେ ହିଞ୍ଜିଳିକାଟୁ ଗସ୍ତରେ ବାହାରିଥିଲେ ମୁଖ୍ୟମନ୍ତ୍ରୀ । ସହରର ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ପହଞ୍ଚି ସେଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହାପରେ ସେଠାରେ ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୦କୋଟି ଟଙ୍କାର ବ୍ୟାଙ୍କ ଋଣ ସୁବିଧା ପ୍ରଦାନ କରିଛନ୍ତି । ଗଞ୍ଜାମ ଦର୍ଶନ ବସ୍ ର ଶୁଭାରମ୍ଭ କରିବା ସହିତ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଠାରେ ସରକାରଙ୍କ ୫ ଟି ଅଧିନସ୍ଥ ସ୍ମାର୍ଟ କ୍ଲାସ ରୁମ୍ ଓ ଅତ୍ୟାଧୁନିକ ଲାବ୍ରୋଟୋରୀ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଗହଣରେ ସମୟ ବିତାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ, ବ୍ରହ୍ମପୁର ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ