ବ୍ରହ୍ମପୁର: ଏକ ଚୋରି ମାମଲାର ତଦନ୍ତ କରିବାକୁ ଓଡିଶା ଯାଇ ହଟହଟା ହୋଇଛି ତେଲେଙ୍ଗାନା ପୋଲିସ । ସାଧା ପୋଷାକରେ ଥିବାରୁ ଛୁଆଚୋର ଭାବି ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଏପରିକି ପୋଲିସ ଗାଡିକୁ ବି ଭଙ୍ଗାରୁଜା କରାଯାଇଛି । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଆହତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଘଟଣାଟି ଏପରି । ଏକ ଚୋରି ମାମଲାର ତଦନ୍ତ କରିବା ପାଇଁ ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ପହଞ୍ଚିଥିଲା ତେଲେଙ୍ଗାନା ପୋଲିସର ଏକ ଟିମ । ଘଟଣାର ତଦନ୍ତ ପାଇଁ ଅଭିଯୁକ୍ତକୁ ପଚରାଉଚରା କରିଥିଲେ । ହେଲେ ଗ୍ରାମବାସୀଙ୍କ ନଜରରେ ତଦନ୍ତକାରୀ ପୋଲିସ ହୋଇଯାଇଥିଲେ ଛୁଆଚୋର । ଅତର୍କିତ ଆକ୍ରମଣ କରିଥିଲେ ଡେଙ୍ଗାଡି ଗ୍ରାମବାସୀ ।
ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିଲେ ପୋଲିସ ଟିମ । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଆହତ ପୋଲିସଙ୍କୁ ଉଦ୍ଧାର କରିଛି । ଆଡପଡା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଚୋରି ମାମଲାର ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ