ଭଞ୍ଜନଗର: ସୋସିଆଲ ମିଡିଆ ପାଇଁ ଖବର ସଂଗ୍ରହ କରୁଥିବା ଜଣେ ଅଧିକାରୀଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ଓଡ଼ିଶା ସ୍ପେଶିଆଲ ନ୍ୟୁଜ୍ ସର୍ଭିସର ମୁଖ୍ୟ ପରିଚାଳନା ଅଧିକାରୀ ସପ୍ନେଶ୍ବର ପାତ୍ର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଜୀବନ ପ୍ରତି ବିପଦ ଥିବା ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋକୁଳାନନ୍ଦ ମଲ୍ଲିକଙ୍କ ଦୁର୍ନୀତି କଥା ବଖାଣିଛନ୍ତି ।
ଗତ 12 ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ନିର୍ମଳଝର ସିଦ୍ଧ ବିନାୟକ କଲ୍ୟାଣ ମଣ୍ଡପରେ ବିଜେପି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଚୟନ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଏଥିରେ ଜିଲ୍ଲାର ବହୁ ବିଜେପି ନେତା ଉପସ୍ଥିତ ଥିଲେ । ସେଠାକୁ ଖବର ସଂଗ୍ରହ ପାଇଁ ସପ୍ନେଶ୍ବର ପାତ୍ର ମଧ୍ୟ ଯାଇଥିଲେ । ସେଠାରୁ ଫେରିବାବେଳେ ଗୋକୁଳାନନ୍ଦ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ମିଶି ସପ୍ନେଶ୍ବର ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ହେଲେ ଏଠାରେ ସପ୍ନେଶ୍ବର ମରିଯାଇଥିବା ଭାବି ତାଙ୍କ ପାଖରେ ଥିବା 1,30,000 ଟଙ୍କା, ସୁନା ମୁଦି, ମୋବାଇଲ, ପେନ ଡ୍ରାଇଭକୁ ଲୁଟି ନେଇଥିଲେ । ପରେ ତାଙ୍କୁ ରାସ୍ତାରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । କିଛି ଲୋକ ସପ୍ନେଶ୍ବରକୁ ଉଦ୍ଧାର କରି କୋଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ତା ପରଦିନ ଖଲ୍ଲିକୋଟ ଥାନାରେ ଗୋକୁଳାନନ୍ଦ ମଲ୍ଲିକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏଠାରେ ସମେଶ୍ବରଙ୍କ କହିବା କଥା, ଗୋକୁଳାନନ୍ଦ ମଲ୍ଲିକଙ୍କ ବହୁ ଦୁର୍ନୀତିର ପ୍ରମାଣ ତାଙ୍କ ପାଖରେ ରହିଛି । ସେହି ଦୁର୍ନୀତିର ପ୍ରମାଣକୁ ନଷ୍ଟ କରିବା ପାଇଁ ବହୁଥର ଗୋକୁଳାନନ୍ଦ ଚେଷ୍ଟା କରିଛନ୍ତି । ହେଲେ ସେଥିରେ ସେ ସଫଳ ହୋଇନଥିଲେ । ଏଥର ମରଣାନ୍ତକ ଆକ୍ରମଣ କରି ଦୁର୍ନୀତିର ପ୍ରମାଣ ଥିବା ପେନ ଡ୍ରାଇଭ ଓ ମୋବାଇଲକୁ ନେବାରେ ସଫଳ ହୋଇଛନ୍ତି ବୋଲି ସପ୍ନେଶ୍ବର ଅଭିଯୋଗ କରିଛନ୍ତି । ଏ ମାମଲାରେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ପେନ ଡ୍ରାଇବ ଓ ମୋବାଇଲଟିକୁ ଉଦ୍ଧାର କରାଯାଉ ଯାଦ୍ବାରା ଗୋକୁଳାନନ୍ଦ ମଲ୍ଲିକଙ୍କ ଦୁର୍ନୀତିର ମୁଖା ଖୋଲିଯିବ ବୋଲି ସପ୍ନେଶ୍ବର କହିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ